Categories: ଖେଳ

ଆଇସିସି ମହିଳା ଦିନିକିଆ, ଟି୨୦ ଦଳରେ ମନ୍ଧାନା

ଦୁବାଇ, ୧୭।୧୨ (ପି.ଟି.)- କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ଚଳିତ ବର୍ଷ ଲାଗି ମହିଳା ଦିନିକିଆ ଓ ଟି୨୦ ଦଳ ଘୋଷଣା କରାଯାଇଛି। ଭାରତୀୟ ମହିଳା କ୍ରିକେଟ୍‌ ଦଳର ଷ୍ଟାର୍‌ ଓପନର୍‌ ସ୍ମୃତି ମନ୍ଧାନା ୨୦୧୯ ଲାଗି ଉଭୟ ଆଇସିସି ମହିଳା ଦିନିକିଆ ଓ ଟି୨୦ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ମନ୍ଧାନାଙ୍କ ବ୍ୟତୀତ ଅଭିଜ୍ଞ ଦ୍ରୁତ ବୋଲର ଝୁଲଣ ଗୋସ୍ବାମୀ, ପୁନମ ଯାଦବ ଓ ଶିଖା ପାଣ୍ଡେ ଆଇସିସି ମହିଳା ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ସେହିଭଳି ଅଲ୍‌ରାଉଣ୍ଡର ଦୀପ୍ତି ଶର୍ମା ଓ ରାଧା ଯାଦବ ଆଇସିସି ଟି୨୦ ଦଳରେ ସ୍ମୃତିଙ୍କ ସହ ରହିଛନ୍ତି। ୨୩ ବର୍ଷୀୟା ମନ୍ଧାନା ଭାରତ ପକ୍ଷରୁ ୫୧ ଦିନିକିଆ, ୬୬ ଟି୨୦ ଓ ୨ଟି ଟେଷ୍ଟ ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରୁଛନ୍ତି। ଦିନିକିଆ ଓ ଟି୨୦ରେ ମୋଟ୍‌ ଉପରେ ସେ ୩୪୭୬ ସଂଗ୍ରହ କରିଛନ୍ତି। ଅଷ୍ଟ୍ରେଲିଆର ଆଲିସା ହେଲୀ ଆଇସିସି ପକ୍ଷରୁ ବର୍ଷର ଶ୍ରେଷ୍ଠ ମହିଳା ଟି୨୦ ଖେଳାଳି ଭାବେ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ପ୍ରାରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ସେ ୧୪୮ ରନର ମାରାଥନ ଇନିଂସ ଖେଳିଥିଲେ। ସେହିଭଳି ଅନ୍ୟତମ ଅଷ୍ଟ୍ରେଲିଆ ଖେଳାଳି ଏଲିସେ ପେରୀ ଆଇସିସି ମହିଳା ଦିନିକିଆ କ୍ରିକେଟର୍‌ ପୁରାସ୍କାର ପାଇଁ ବିବେଚିତ ହୋଇଛନ୍ତି। ପେରୀ ଚଳିତ ବର୍ଷ ୭୩ ଆଭରେଜରେ ୪୪୧ ରନ ସଂଗ୍ରହ କରିବା ସହିତ ୧୩.୫୨ ଆଭରେଜରେ ୨୧ ଉଇକେଟ୍‌ ମଧ୍ୟ ଅକ୍ତିଆର କରିଛନ୍ତି। ଏଥିସହ ପେରୀ ଆଇସିସି ମହିଳା କ୍ରିକେଟର୍‌ ଅଫ୍‌ ଦି ଇୟର ଭାବେ ରାପେଲ ହେହୋଏ-ଫ୍ଲିଣ୍ଟ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ୨୯ ବର୍ଷୀୟା ପେରୀ ୨୦୧୯ରେ କ୍ରିକେଟ୍‌ର ୩ଟି ଯାକ ଫର୍ମାଟ୍‌ରେ ୩ଟି ଶତକ ହାସଲ କରିଛନ୍ତି। ମହିଳା ଟି୨୦ କ୍ରିକେଟ୍‌ରେ ପ୍ରଥମ ଖେଳାଳି ଭାବେ ଏକ ହଜାର ରନ୍‌ ଓ ୧୦୦ ଉଇକେଟ୍‌ ନେବାର କୀର୍ତ୍ତିମାନ ମଧ୍ୟ ତାଙ୍କ ନାମରେ ରହିଛି। ଅଷ୍ଟ୍ରେଲିଆର ଗେମ୍‌ ଲାନ୍ନିଂ ଉଭୟ ଆଇସିସି ମହିଳା ଦିନିକିଆ ଓ ଟି୨୦ ଦଳର ଅଧିନାୟିକା ଭାବେ ଚୟନ ହୋଇଛନ୍ତି।

Share