Categories: ଖେଳ

ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ବୈଠକ: ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ର ପୁନଃନିର୍ଦ୍ଧାରଣ ହେବ

ଦୁବାଇ, ୨୪ା୪ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ କ୍ରୀଡ଼ା କାର୍ଯ୍ୟକଳାପ ଏକପ୍ରକାର ସ୍ଥାଣୁ ପାଲଟିଯାଇଛି। ଏଥିଯୋଗୁ ୨୦୨୩ ପର୍ଯ୍ୟନ୍ତ ରହିଥିବା ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ୍‌ (ଏଫ୍‌ଟିପି)ର ପୁନଃନିର୍ଦ୍ଧାରଣ ହେବ। ଗୁରୁବାର ଅନୁଷ୍ଠିତ ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ)ର ମୁଖ୍ୟକାର୍ଯ୍ୟନିର୍ବାହୀ କମିଟି ବୈଠକରେ ସର୍ବସମ୍ମତି ନିଷ୍ପତ୍ତି ନିଆଯାଇଛି। ଟେଲି କନଫରେନ୍ସ ଜରିଆରେ ଏହି ବୈଠକ ବସିଥିଲା। ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏବଂ ପ୍ରସ୍ତାବିତ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଲିଗ୍‌ ସମ୍ପର୍କରେ ଦିନ ଧାର୍ଯ୍ୟ ପରେ ହେବ। କୋଭିଡ୍‌-୧୯ ଯୋଗୁ ଇଂଲଣ୍ଡର ଶ୍ରୀଲଙ୍କା ଟୁର୍‌ ଏବଂ ଅଷ୍ଟ୍ରେଲିଆର ନ୍ୟୁଜିଲାଣ୍ଡ ଟୁର୍‌ ଇତିମଧ୍ୟରେ ସ୍ଥଗିତ ରଖାଯାଇଛି। ଅପ୍ୟପକ୍ଷରେ ପାକିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜର ଇଂଲଣ୍ଡ ଟୁର୍‌ ହୋଇ ପାରିବ କି ନା ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଖବର ଅନୁସାରେ ଅଷ୍ଟ୍ରେଲିଆରେ ଅକ୍ଟୋବର ଓ ନଭେମ୍ବରରେ ହେବାକୁଥିବା ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ୨୦୨୦ ଏବଂ ଆଇସିସି ମହିଳା କ୍ରିକେଟ ବିଶ୍ୱକପ୍‌ ୨୦୨୧ ସମେତ ସମସ୍ତ ଆଇସିସି ଗ୍ଲୋବାଲ ଇଭେଣ୍ଟଗୁଡ଼ିକ ଲାଗି ଏହି ବୈଠକରେ ଆକସ୍ମିକ ଯୋଜନା ପ୍ରସ୍ତୁତ କରାଯାଇଛି।