ଆଇସିୟୁରେ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ : ଆର୍ଥିକ ସହାୟତା ଯୋଗାଇ ଦେବାକୁ ଦାବି

ଭୁବନେଶ୍ୱର, ୨୫।୩(ବ୍ୟୁରୋ): ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ(୯୭) ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅବସ୍ଥା ସଙ୍କଟାପନ୍ନ ହେବାରୁ ବୁଧବାର ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
୧୯୨୨ ମସିହାରେ ପୁରୀ ଜିଲା ନିମାପଡ଼ାରେ ଜନ୍ମଗ୍ରହଣ କରିଥିବା ଭବାନୀ ଦେଶ ସ୍ବାଧୀନତାରେ ଅଂଶଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ବିଶେଷଭାବେ ସେ ଅନୁପ୍ରାଣିତ ହୋଇଥିଲେ। ୧୯୬୧, ୧୯୬୬ ଏବଂ ୧୯୭୮ରେ ତିନିଥର ସେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୮ ମସିହାରେ ଭାରତ ସରକାର ତାଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପ୍ରଦାନ କରିଥିଲେ। ତାଙ୍କ ଚିକିତ୍ସାରେ ସହଯୋଗ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି। ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇ ତାଙ୍କ ଚିକିତ୍ସା କରିବାକୁ ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଦାବି କରିଛନ୍ତି।

Share