ଆଇସୋଲେଶନ କେନ୍ଦ୍ରର ପ୍ରସ୍ତୁତି କାର୍ଯ୍ୟ ତଦାରଖ କଲେ ଜିଲାପାଳ

ଶେରଗଡ଼,୨୯ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଆଦର୍ଶ ବିଦ୍ୟାଳୟରେ ପ୍ରଶାସନ ପକ୍ଷରୁ ଏକ ଆଇସୋଲେଶନ କେନ୍ଦ୍ର ଖୋଲାଯାଇଛି। ବୁଧବାର ସନ୍ଧ୍ୟାରେ ସୁରଟରୁ ଫେରୁଥିବା ୧୧୪ ଜଣଙ୍କୁ ଏଠାରେ ରଖାଯିବ। ସେମାନଙ୍କୁ ୧୪ଦିନ ରଖାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ସ୍ବାସ୍ଥ୍ୟ ଠିକ୍‌ ଥିଲେ ନିଜ ଘରକୁ ଛଡ଼ାଯିବ। ଏଣୁ ଶେରଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ପ୍ରସ୍ତୁତି କାର୍ଯ୍ୟକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତଦାରଖ କରିଛନ୍ତି। ଏଠାରେ ପିଇବା, ପାଣି, ଆଲୁଅ, ପାଇଖାନା, ପରିବେଶ, ସେମାନଙ୍କ ରହିବା ଗୃହ, ରୋଷେଇ ସ୍ଥାନ ଆଦି ବୁଲି ଦେଖିଥିଲେ ଜିଲାପାଳ। ଉକ୍ତ ଗସ୍ତ ସମୟରେ ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ.ଦୟାସିନ୍ଧୁ ପରିଡ଼ା,ସହକାରୀ ନିର୍ବାହୀ ଯନ୍ତ୍ରୀ ମହୀନ୍ଦ୍ର କୁମାର ଷଡ଼ଙ୍ଗୀ, ଚୋରିଆ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।