ଆଉ ଆଶ୍ରୟସ୍ଥଳ ହେବନି ଜିଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡା:ନିର୍ମାଣ ହେବ ରେଷ୍ଟଶେଡ୍‌

ବାରିପଦା ଅଫିସ,୮।୮- ଆଦିବାସୀ ଅଧ୍ୟୁଷିତ ତଥା ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲାର ଅପହଞ୍ଚ ଇଲାକାରୁ ପ୍ରତିଦିନ ଜିଲାପାଳଙ୍କ ନିକଟକୁ ଗୁହାରି କରିବା ପାଇଁ ଲୋକେ ଆସିଥାନ୍ତି। ମାତ୍ର ଏଠାରେ ଖରା କିମ୍ବା ବର୍ଷାରେ ମୁଣ୍ଡ ଗୁଞ୍ଜିବାକୁ ଲୋକେ ଜାଗା ପାଇ ନ ଥାନ୍ତି। ଖରାଦିନେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗଛ ମୂଳ ପିଣ୍ଡି ଓ ବର୍ଷା ଦିନେ କାର୍ଯ୍ୟାଳୟର ବାରଣ୍ଡା ଲୋକଙ୍କ ଆଶ୍ରୟସ୍ଥଳ ପାଲଟୁଛି। ଏ ନେଇ ଗତ ଜୁଲାଇ ୨ ତାରିଖରେ ‘ଧରିତ୍ରୀ’ରେ ଏକ ସ୍ବତନ୍ତ୍ର ତଥ୍ୟ ଓ ମତାମତ ଭିତ୍ତିକ ରିପୋର୍ଟ ପ୍ରକାଶ ପାଇଥିଲା। ଏଥିନେଇ ଜିଲାର ମାନବାଧିକାର କର୍ମୀ ଓ ବୁଦ୍ଧିଜୀବୀ ଅସନ୍ତୋଷ ପ୍ରକାଶ କରିବା ସହିତ ତୁରନ୍ତ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ଦାବି କରିଥିଲେ। ତେବେ ଏହି ଘଟଣାରେ ଜିଲା ପ୍ରଶାସନ ତପତ୍ରତା ଦେଖାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏକ ରେଷ୍ଟଶେଡ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଜିଲାପାଳ ବିନୀତ ଭରଦ୍ୱାଜ ସୂଚନା ଦେଇଛନ୍ତି। ରେଷ୍ଟଶେଡରେ ଆବଶ୍ୟକ ସ୍ଥଳେ ଚୌକିର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ସେ କହିଛନ୍ତି। ଜିଲାପାଳଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ମୟୂରଭଞ୍ଜ ଗଡଜାତ ରାଜ୍ୟ ୧୯୪୮ ଅକ୍ଟୋବର ୧୭ ତାରିଖରେ ୟୁନିୟନ ଅଫ ଇଣ୍ଡିଆରେ ମିଶିବା ପରେ ୧୯୪୯ ଜାନୁୟାରୀ ପହିଲାରେ ଏହା ଓଡ଼ିଶାରେ ବିଲୀନ ହୋଇଥିଲା। ସେହି ସମୟରେ ମୟୂରଭଞ୍ଜରେ ମହାରାଜା ପ୍ରତାପଚନ୍ଦ୍ର ଭଞ୍ଜଦେଓଙ୍କ ଶାସନ ଚାଲିଥିଲା। ମିଶ୍ରଣ ପରେ ମୟୂରଭଞ୍ଜର ସମସ୍ତ ସମ୍ପତ୍ତି ତଥା ରକ୍ଷଣାବେକ୍ଷଣ ଦାୟିତ୍ୱ ଓଡ଼ିଶା ସରକାରଙ୍କ ହାତରେ ନ୍ୟସ୍ତ ହୋଇଥିଲା। ସେବେଠାରୁ ମୟୂରଭଞ୍ଜ ମହାରାଜା ରାଜ୍ୟ ଶାସନ ପାଇଁ ବ୍ୟବହାର କରୁଥିବା ବିଭିନ୍ନ ଭବନରେ ରାଜ୍ୟ ସରକାର ଜିଲା କାର୍ଯ୍ୟାଳୟମାନ ଆରମ୍ଭ କରିଥିଲେ। ଇତି ମଧ୍ୟରେ ୫୨ ଜଣ ଜିଲାପାଳ ଜିଲାର ଶାସନଭାର ସମ୍ଭାଳିିଲେଣି। ମାତ୍ର ଜିଲାବାସୀ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଥିବା ସବୁବେଳେ ଅଭିଯୋଗ ହୋଇ ଆସୁଛି। ସରକାରୀ କାର୍ଯ୍ୟାଳୟଗୁଡିକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନ ସାଧାରଣ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଥିବା ଏବେ ମୁଖ୍ୟ ସମସ୍ୟା ପାଲଟିଛି। ଜିଲା ପ୍ରଶାସନ ଏ ଦିଗରେ ଗୁରୁତ୍ୱ ଦେବାକୁ ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି।