ଆଉ କିଛି ସମୟ ମଧ୍ୟରେ ପଞ୍ଚଭୂତରେ ବିଲୀନ ହେବେ ୨ ବୀର ଯବାନ

ଭୁବନେଶ୍ୱର,୧୯ା୬(ବ୍ୟୁରୋ): ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାରେ ଚାଇନା ଶତ୍ରୁ ସହ ଲଢ଼ି ଦେଶ ପାଇଁ ଶହୀଦ ହୋଇଥିବା ଦୁଇ ଓଡ଼ିଆ ବୀରଙ୍କ ଜନ୍ମମାଟିରେ ଆଉ ମାତ୍ର କିଛି ସମୟ ମଧ୍ୟରେ ଶେଷକୃତ୍ୟ ସମ୍ପନ୍ନ ହେବ। ଦୁଇ ବୀରଙ୍କୁ ନିଜ ନିଜ ଜନ୍ମମାଟିରେ ଗାର୍ଡ ଅଫ୍‌ ଅନର ଦିଆଯାଇଛି। ଏକ ଶୋକାକୁଳ ପରିବେଶରେ ଦୁଇ ଓଡ଼ିଆ ବୀରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବ ଲଦାଖ ସୀମା ଗଲ୍‌ଓ୍ବାନ୍‌ ଉପତ୍ୟକାରେ ସୋମବାର ବିଳମ୍ବିତ ରାତିରେ ଚାଇନା ସେନା ସହ ସଂଘର୍ଷରେ ଶହୀଦ ହୋଇଥିଲେ ଦୁଇ ଓଡ଼ିଆ ଯବାନ। କନ୍ଧମାଳ ଜିଲା ରାଇକିଆ ବ୍ଲକର ବିଅରପାଙ୍ଗା ଗ୍ରାମର ଚନ୍ଦ୍ରକାନ୍ତ ପ୍ରଧାନ(୨୮) ଓ ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଚମ୍ପାଉଦା ଗ୍ରାମର ନନ୍ଦୁରାମ ସୋରେନ୍‌(୪୩)। ଗୁରୁବାର ଅପରାହ୍ନରେ ଉଭୟଙ୍କ ପାର୍ଥିବ ଶରୀର ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲା। ସେଠାରେ ଦୁଇ ବୀର ଯବାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ପରେ ତାଙ୍କ ଗ୍ରାମ ଅଭିମୁଖେ ନିଆଯାଇଥିଲା।

Share