ଓ୍ବାଶିଂଟନ,୧୪।୯: ପାକିସ୍ତାନର ଆଉ ଜଣେ ଚରମପନ୍ଥୀଙ୍କୁ ଆମେରିକା ୨ ଦିନ ତଳେ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରିଛି। ଏହାସହ ଆମେରିକା ଉକ୍ତ ଆତଙ୍କବାଦୀଙ୍କ ଉପରେ ୫୦ ଲକ୍ଷ ଡଲାର ପୁରସ୍କାର ମଧ୍ୟ ଘୋଷଣା କରିଛି। ତେବେ ଆମେରିକା ଯାହାଙ୍କୁ ଗ୍ଲୋବାଲ୍ ଟେରରିଷ୍ଟ ଘୋଷଣା କରିଛି ସେ ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋ ହତ୍ୟା ମାମଲାରେ ସମ୍ପୃକ୍ତ ରହିବା ସହ ମଲାଲା ୟୁସୁଫଜାଇଙ୍କ ଉପରେ ହୋଇଥିବା ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି। ଏହି ଆତଙ୍କବାଦୀ ହେଉଛନ୍ତି ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି-ପାକିସ୍ତାନ)ର ମୁଖ୍ୟ ନୁର ଓ୍ବଲି। ୨୦୦୭ରେ ସେ ନିଜର ଆତଙ୍କବାଦୀ ସଙ୍ଗଠନ ଗଠନ କରିଥିଲେ। ଆଉ ଏହି ସଙ୍ଗଠନ ଗତ ପ୍ରାୟ ୧୨ ବର୍ଷ ମଧ୍ୟରେ ବହୁ ବଡ ବଡ ଆତଙ୍କବାଦୀ ଆକ୍ରମଣ କରିସାରିଛି। ଜୁନ୍ ୨୦୧୮ରେ ମୁଲ୍ଲା ଫଜଲୁଲ୍ଲାହଙ୍କ ମୃତ୍ୟୁ ପରେ ନୁର ଓ୍ବଲିଙ୍କୁ ତେହରିକ-ଇ-ତାଲିବାନ ପାକିସ୍ତାନ(ଟିଟିପି-ପାକିସ୍ତାନ)ର ମୁଖ୍ୟ ପଦରେ ଅଧିଷ୍ଠିତ କରାଯାଇଥିଲା। ସୂଚନାଯୋଗ୍ୟ, କିଛିଦିନ ତଳେ ଜୈଶ-ଇ-ମହମ୍ମଦର ମୁଖ୍ୟ ମସୁଦ ଅଜହରଙ୍କୁ ମଧ୍ୟ ଗ୍ଲୋବାଲ ଟେରରିଷ୍ଟ ବୋଲି ଘୋଷଣା କରାଯାଇଛି।