ଆଉ ନିର୍ବାଚନ ଲଢିବେନି ଦାମ ରାଉତ: କହିଲେ, ଲୋକଙ୍କ ପାଇଁ କାମ ଜାରି ରହିବ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମ ରାଉତ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଫଳରେ ତାଙ୍କ ୪୫ ବର୍ଷ ରାଜନୀତି କ୍ୟାରିୟର ସମାପ୍ତ ହୋଇଛି। ନିର୍ବାଚନ ଲଢିବାକୁ ଆଉ ବୟସ ନାହିଁ, କିନ୍ତୁ ବଞ୍ଚିଥିବା ଥିବା ଯାଏ ଲୋକଙ୍କ ପାଇଁ ସେବା କରିବି ବୋଲି ସେ କହିଛନ୍ତି। ଗତ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ଭାଜପାରେ ଯୋଗ ଦେଇ ସେ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। କିନ୍ତୁ ତାଙ୍କୁ ଶୋଚନୀୟ ପରାଜୟର ସାମ୍ନା କରିବାକୁ ପଡିଥିଲା। ନିର୍ବାଚନ ପୂର୍ବରୁ ଭାଜପା ନେତା ମୋତେ ଡାକି ଦଳରେ ମିଶାଇଥିଲେ। କିନ୍ତୁ ପରେ ମୋତେ ପଚରାଯାଉନାହିଁ। ଏପରିକ ମୋତେ କେଉଁଠିକି ମଧ୍ୟ ଡକାଯାଉନାହିଁ। ଓଡ଼ିଶାର ହେଉ କି ଦିଲ୍ଲୀର କୌଣସି ନେତା ମୋ ସହ କଥା ମଧ୍ୟ ହେଉନାହାନ୍ତି। ଯେଉଁ ଦଳ ମୋତେ ପଚାରୁନି, ମୁଁ କ’ଣ ଗୋଡେଇକି ପ୍ରାର୍ଥୀ ହେବି ବୋଲି ଦାମ ପ୍ରଶ୍ନ କରିଛନ୍ତି। ଆଉ ରାଜନୀତିରେ ରହିବାକୁ ଆଗ୍ରହ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ବିଜେପୁର ଉପନିର୍ବାଚନ ପାଇଁ ଭାଜପାର ଷ୍ଟାର୍‌ ପ୍ରଚାରକ ତାଲିକା ଗୁରୁବାର ଘୋଷଣା କରାଯାଇଥିଲେ ମଧ୍ୟ ଦାମଙ୍କ ନାଁ ସେଥିରେ ନାହିଁ। ଏହି କାରଣରୁ ହଠାତ୍‌ ସେ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି।

Share