ଆଉ ନୂଆ ୧୭ ଏନ୍‌ଏସି ଗଠନ ହେବ

ଭୁବନେଶ୍ୱର, ୩୧।୭(ବ୍ୟୁରୋ): ରାଜ୍ୟରେ ଆଉ ୧୭ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଗଠନ ହେବ। କେବଳ ଜନସଂଖ୍ୟା ନୁହେଁ, ସେଠାକାର ଭୌଗୋଳିକ ପରିସ୍ଥିତି, ରାଜସ୍ବ ଆୟ ଓ ଅନ୍ୟାନ୍ୟ ଦିଗକୁ ଦେଖି ନୂତନ ଏନ୍‌ଏସି ଗଠନକୁ ଅନୁମତି ଦିଆଯାଇଥାଏ। ମଙ୍ଗଳବାର ପ୍ରଶ୍ନୋତ୍ତର ବେଳେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହି ସୂଚନା ଦେଇଛନ୍ତି। ବିଜେଡି ସଭ୍ୟ ସତ୍ୟନାରାୟଣ ପ୍ରଧାନ ମୂଳ ପ୍ରଶ୍ନରେ ରଣପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶରଣକୁଳ ଏବଂ ସୁନାଖଳାକୁ କେବେ ଏନ୍‌ଏସି ଘୋଷଣା କରାଯିବ ବୋଲି ପଚାରିଥିଲେ। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି କୋରାପୁଟ ଜିଲାର ବୋରିଗୁମ୍ମା ବ୍ଲକକୁ ଏନ୍‌ଏସି ଘୋଷଣା କରିବେ କି ବୋଲି ପଚାରିଥିଲେ। ବିଜେଡି ସଭ୍ୟ ଅମର ଶତପଥୀ ଚଣ୍ଡିଖୋଲକୁ ଏନ୍‌ଏସି ଘୋଷଣା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି କି ବୋଲି ପଚାରିଥିଲେ। ମନ୍ତ୍ରୀ କହିଥିଲେ, ଶରଣକୁଳ ସହରକୁ ଏନ୍‌ଏସି ଘୋଷଣା ପାଇଁ ନୟାଗଡ଼ ଜିଲାପାଳଙ୍କୁ କେତେକ ତଥ୍ୟ ମଗାଯାଇଛି, ତାହା ହସ୍ତଗତ ହେବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ। ସେହିପରି ରାଜସୁନାଖଳା ସହରକୁ ଏନ୍‌ଏସି ଘୋଷଣା କରିବାକୁ ଅନୁଧ୍ୟାନ କରାଯାଉଛି। ବୋରିଗୁମ୍ମା ଏବଂ ଚଣ୍ଡିଖୋଲ ପ୍ରସ୍ତାବ ଆସିଲେ ଏହାକୁ ସରକାର ବିଚାର କରିବେ ବୋଲି ମନ୍ତ୍ରୀ କହିଛନ୍ତି।

Share