ଆଉ ସପ୍ତାହକ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ,୩୦।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୨୪ ଘଣ୍ଟାରେ ଏବେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୮ ହଜାରରୁ ଅଧିକ ହେବାରେ ଲାଗିଛି। ଶନିବାର ସୁଦ୍ଧା ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ୭୩ ହଜାର ୭୬୩ରେ ପହଞ୍ଚିଛି। ସେହିପରି ମୃତକଙ୍କ ସଂଖ୍ୟା ୪ ହଜାର ୯୮୦ ଛୁଇଁଛି। ଏଭଳି ଧାରା ଜାରି ରହିଲେ ଆସନ୍ତା ଏକ ସପ୍ତାହ ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଟପିବାର ଆଶଙ୍କା ଦେଖାଦେଇଛି। ସଂକ୍ରମିତଙ୍କ ତାଲିକାରେ ମହାରାଷ୍ଟ୍ରରେ ଶୀର୍ଷରେ ରହିଛି। ଏଠାରେ ୬୨ ହଜାର ୨୨୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ଏଠାରେ ୨ ହଜାର ୯୮ ରହିଛି। ଅପରପକ୍ଷରେ ତାମିଲନାଡୁ ଏହି ତାଲିକାରେ ଦ୍ୱିତୀୟ ଏବଂ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ତାମିଲନାଡୁରେ ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ୨୪୬ ଥିବାବେଳେ ମୃତ୍ୟୁ ସଂଖ୍ୟା ୧୫୭ ରହିଛି। ଅପରପକ୍ଷରେ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୧୭ ହଜାର ୩୮୬ ଏବଂ ୩୯୮ ରହିଛି।

Share