Categories: ଜାତୀୟ

ଆଉ ୧୫ ଦିନ ବଢିବ ଲକ୍‌ଡାଉନ ଅବଧି !

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀକୁ ରୋକିବାକୁ ଦେଶରେ ଚାଲିଥିବା ଲକ୍‌ଡାଉନ ୪.୦ର ଅବଧି ମେ’ ୩୧ରେ ଶେଷ ହେଉଛି। ଏହାକୁ ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ୍‌ କରିଥିଲେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା। ହେଲେ ଲକ୍‌ଡାଉନ ବୃଦ୍ଧିକୁ ନେଇ ଏପର୍ଯ୍ୟନ୍ତ କୌଣସି ଚିତ୍ର ସ୍ପଷ୍ଟ ହୋଇନାହିଁ। ଇତି ମଧ୍ୟରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ କହିଛନ୍ତି ଦେଶରେ କରୋନା ସଂକ୍ରମଣକୁ ଦେଖିଲେ ଲକ୍‌ଡାଉନ ଅବଧି ଆଉ ୧୫ ଦିନ ବୃଦ୍ଧି କରାଯାଇପାରେ। ସେ କହିଛନ୍ତି ଏବେବି ଦେଶରେ କରୋନା ସଂକ୍ରମଣ ବଢି ଚାଲିଥିବାରୁ ଆଉ ୧୫ ଦିନ ଲକ୍‌ଡାଉନ ଆବଶ୍ୟକ ପଡୁଛି। ଏହାପୂର୍ବରୁ ସାଓ୍ବନ୍ତ ଗୁରୁବାର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ। ସାଓ୍ବନ୍ତ କହିଛନ୍ତି ଏଥର ଗୋଆରେ ରେସ୍ତୋରାଁ, ହୋଟେଲ, ମଲ, ଜିମ ଆଦି ସାମିଜିକ ଦୂରତା ରକ୍ଷାକରି ଖେଶଲିବାକୁ ସେ ଅନୁମତି ମାଗିବେ। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ସେ ନିଜ ମତ ରଖିବେ ବୋଲି କହିଛନ୍ତି। ଲକ୍‌ଡାଉନ ୫.୦କୁ ନେଇ ଶନିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ କିଛି ଆଡଭାଇଜରି ଜାରି କରିପାରନ୍ତି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ମେ’ ୧୮ରୁ ଦେଶରେ ଲକ୍‌ଡାଉନ ୪.୦ ଲାଗୁ କରାଯାଇଥିବା ବେଳେ ଏଥିରେ କିଛିଟା କୋହଳ କରାଯାଇଥିଲା। ଏମିତିକି କିଛି ଦୋକାନ ଖୋଲିବାକୁ ମଧ୍ୟ ଅନୁମତି ପ୍ରଦାନ କରାଯାଇଥିଲା। ହେଲେ ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମ୍‌ ନ ହେବାରୁ ଲକ୍‌ଡାଉନ ଅବଧି ଆହୁରି ବୃଦ୍ଧି କରାଯାଇପାରେ ବୋଲି ଅନୁମାନ କରାଯାଉଛି।

Share