ନୂଆଦିଲ୍ଲୀ,୧୩ା୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ଭାଜପା ଅଧ୍ୟକ୍ଷ ପଦରେ ଆଉ ଅନ୍ତତଃ ୬ ମାସ ରହିବା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ଦଳର ସାଂଗଠନିକ ନିର୍ବାଚନ ହୋଇ ନୂଆ ଅଧ୍ୟକ୍ଷ ନିଯୁକ୍ତ କରାଯିବ। ଏହି ନିର୍ବାଚନ କେବେ ହେବ ତାହା ଦଳର ରାଜ୍ୟ ସଭାପତିମାନଙ୍କ ବୈଠକ ବସି ଖୁବ୍ଶୀଘ୍ର ସ୍ଥିର କରାଯିବ ବୋଲି ଏକ ସୂତ୍ରରୁ ଜଣାପଡିଛି। ଗୁରୁବାର ଶାହ ଦଳର ସମସ୍ତ ରାଜ୍ୟ ସଭାପତି ଏବଂ ସାଧାରଣ ସମ୍ପାଦକମାନଙ୍କୁ ଭେଟି ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବେ ବୋଲି କୁହାଯାଉଛି। ଏହି ବୈଠକରେ ଦଳର ସଭ୍ୟ ସଂଗ୍ରହ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଅଧ୍ୟକ୍ଷ ନିର୍ବାଚନ ଅକ୍ଟୋବର-ନଭେମ୍ବରରେ ହୋଇପାରେ ବୋଲି ଭାଜପାର ଜଣେ ନେତା କହିଛନ୍ତି।