ଆକର୍ଷିତ କରୁଛି ପୁରାତନ ସାମଗ୍ରୀ

କଟକ ଅଫିସ,୯।୮: ବିଦେଶୀଙ୍କୁ ଆକୃଷ୍ଟ କରୁଛି କଟକ ଜିଲା ଖପୁରିଆସ୍ଥିତ ଆଇଟିଆଇ ସରକାରୀ କଲେଜ। ଏଠାରେ ଏକ ଦକ୍ଷତା ସଂଗ୍ରହାଳୟ ରହିଛି। ଏହା ରାଜ୍ୟର କୌଣସି ସରକାରୀ ଶିକ୍ଷାନୁଷ୍ଠାନରେ ଗଢ଼ି ଉଠିଥିବା ପ୍ରଥମ ଦକ୍ଷତା ସଂଗ୍ରହାଳୟ। କଲେଜ ଛାତ୍ରୀଛାତ୍ରଙ୍କ ଜ୍ଞାନକୌଶଳ ଓ ପ୍ରଯୁକ୍ତିବିଦ୍ୟାର ଦକ୍ଷତା ବୃଦ୍ଧି ନିମନ୍ତେ ଗଠନ ହୋଇଥିବା ଏହି ସଂଗ୍ରହାଳୟ ହିଁ ବିଦେଶୀଙ୍କୁ ଆକୃଷ୍ଟ କରିବାର ମୁଖ୍ୟ କାରଣ ପାଲଟିଛି। ଅଦରକାରୀ ବସ୍ତୁକୁ ବ୍ୟବହାର କରି ଛାତ୍ରୀଛାତ୍ରମାନେ ଆକର୍ଷଣୀୟ ସାମଗ୍ରୀର ରୂପ ଦେଉଛନ୍ତି। ଯାହାକୁ ଦେଖିବାକୁ ଗତ ମାସରେ ସିଙ୍ଗାପୁର, ଜାପାନର କେତେଜଣ ବ୍ୟକ୍ତି ଏଠାକୁ ଆସିଥିଲେ ବୋଲି କଲେଜ ଅଧ୍ୟକ୍ଷ ଡ. ହୃଷୀକେଶ ମହାନ୍ତି କହିଛନ୍ତି। ତେବେ ଗତ ଜାନୁୟାରୀରୁ ଏପର୍ଯ୍ୟନ୍ତ ପ୍ରାୟ ୪୫ଜଣ ବିଦେଶୀ ଆସି ସାରିଲେଣି ବୋଲି କଲେଜ ପକ୍ଷରୁ ସୂଚନା ଦିଆଯାଇଛି।
୨୦୧୮ ଅଗଷ୍ଟ ୪ରେ ଉକ୍ତ କଲେଜର ଦକ୍ଷତା ସଂଗ୍ରହାଳୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ୭୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ସଂଗ୍ରହାଳୟରେ ଅନେକ ପୁରାତନ ବସ୍ତୁ ସ୍ଥାନ ପାଇଛି। ବିଶେଷକରି ଜରୁରିକାଳୀନ ହେଲମେଟ, ଗାଡ଼ି ଭଗ୍ନାଂଶରୁ ଗୀଟାର, କାଠରେ ତିଆରି ଶିବଲିଙ୍ଗ, ଅତ୍ୟାଧୁନିକ ଧାନକଳ ଭଳି ଅନେକ ସାମଗ୍ରୀ ଏଠାରେ ଦେଖିବାକୁ ମିଳୁଛି। ତେବେ ଚଳନଶୀଳ ବ୍ରିଜର ଏକ ଡେମୋ ଏଠାରେ ସ୍ଥାନ ପାଇଛି। ଚାରିପାର୍ଶ୍ୱକୁ ବିସ୍ତାର ହୋଇଥିବା ବ୍ରିଜର ପାର୍ଶ୍ୱଗୁଡ଼ିକ ଆପେଆପେ ନିଜର ସ୍ଥିତି ବଦଳାଇ ଯୋଡ଼ି ହୋଇ ଯାଉଛି। ଟ୍ରାଫିକ ସମସ୍ୟାରୁ ମୁକୁଳିବା ପାଇଁ ଏହା ଏକ ବ୍ଲୁପ୍ରିଣ୍ଟ ବୋଲି ଅଧ୍ୟକ୍ଷ ଡ. ମହାନ୍ତି କହିଛନ୍ତି। ଭାରତର କୌଣସି ଆଇଟିଆଇ କଲେଜରେ ଏପରି ବ୍ୟବସ୍ଥା ନାହିଁ। ଛାତ୍ରୀଛାତ୍ରମାନଙ୍କ ପାଇଁ ଏହି ସଂଗ୍ରହାଳୟ ବେଶ୍‌ ଉପାଦେୟ। ଏହି ସଂଗ୍ରହାଳୟକୁ ନେଇ ମହାନ୍ତି କହିଛନ୍ତି, ବର୍ତ୍ତମାନ ଯୁଗରେ ପ୍ରଯୁକ୍ତି ବିଦ୍ୟାର ଦ୍ରୁତ ପରିବର୍ତ୍ତନ ଘଟୁଛି। ଛାତ୍ରୀଛାତ୍ରମାନେ କିଭଳି ଅତୀତକୁ ନେଇ ଭବିଷ୍ୟତ ଗଠନ କରିବେ ସେଥିପାଇଁ ଏହା ଏକ ପ୍ରୟାସ। କଲେଜ ଉପାଧ୍ୟକ୍ଷ ଉମେଶ ଚନ୍ଦ୍ର ମିଶ୍ର କୁହନ୍ତି, ଦେଶର ଯେତିକି ଶିଳ୍ପ ତାଲିମ ଶିକ୍ଷାନୁଷ୍ଠାନ ରହିଛି, କୌଣସି ଶିକ୍ଷାନୁଷ୍ଠାନରେ ଦକ୍ଷତା ସଂଗ୍ରହାଳୟ ନାହିଁ। ଭବିଷ୍ୟତରେ ଛାତ୍ରୀଛାତ୍ରମାନଙ୍କୁ ଅକୃଷ୍ଟ କରିବା ପାଇଁ ଏବଂ ଯେଉଁ ଛାତ୍ରୀଛାତ୍ରମାନେ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି ସେମାନଙ୍କର ଦକ୍ଷତା ବିକାଶ ବୃଦ୍ଧିରେ ବିଶେଷ ଭାବରେ ସହାୟକ ହେବ।

Share