ଆକ୍ରମଣ ଲାଗି ଚାଇନା ଦେଇଥିଲା ନିର୍ଦ୍ଦେଶ

ଓ୍ବାଶିଂଟନ, ୨୪ା୬: ଗଲଓ୍ବାନ୍‌ ଉପତ୍ୟକାରେ ଭାରତ-ଚାଇନା ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପଛର କାରଣ ଏବେ ଜଣାପଡ଼ିଛି। ଚାଇନା ସେନାର ନେତୃତ୍ୱ ନେଉଥିବା ଜଣେ ବରିଷ୍ଠ ଜେନେରାଲ ଭାରତୀୟ ସେନା ଉପରେ ଆକ୍ରମଣ ଲାଗି ନିର୍ଦ୍ଦେଶ ଦେଇଥିଲେ ବୋଲି ଆମେରିକା ଗୋଇନ୍ଦା ସୂତ୍ରରୁ ଜଣାପଡ଼ିଛି।
ଓ୍ବେଷ୍ଟର୍ନ ଥିଏଟର କମାଣ୍ଡ ମୁଖ୍ୟ ଜେନେରାଲ ଝାଓ ଜୋଙ୍ଗକିଙ୍କ ସହ କେତେଜଣ ବରିଷ୍ଠ ଅଧିକାରୀ ଏବେ ବି ପିଏଲ୍‌ଏରେ କାର୍ଯ୍ୟରତ ଅଛନ୍ତି। ଏମାନେ ଦକ୍ଷିଣ-ପଶ୍ଚିମ ଚାଇନା ଓ ଉତ୍ତର ଭାରତୀୟ ସୀମାଞ୍ଚଳର ନେତୃତ୍ୱ ନେଇଥାନ୍ତି। ଝାଓ ପୂର୍ବରୁ ଆମେରିକା ଓ ଭାରତର ଷଡ଼ଯନ୍ତ୍ରରେ ଚାଇନା ଦୁର୍ବଳ ହେବାରେ ଲାଗିଛି ବୋଲି ମତ ଦେଇଥିଲେ। ଭାରତ ବିରୋଧରେ ସେ ପ୍ରତିଶୋଧ ପରାୟଣ ହୋଇପଡ଼ିଥିଲେ, ଯାହାର ପ୍ରତିଫଳନ ଜୁନ୍‌ ୧୫ ରାତିରେ ଦେଖିବାକୁ ମିଳିଲା ବୋଲି ଆମେରିକା ପକ୍ଷରୁ ଦର୍ଶାଯାଇଛି। ଗଲଓ୍ବାନ୍‌ରେ ଦୁଇସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଭାରତର ୨୦ ଯବାନ ଶହୀଦ ହୋଇଥିଲେ। ଏହି ସଂଘର୍ଷ ନେଇ ନିଷ୍ପତ୍ତି ପଛରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ହାତ ଥିଲା କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

Share