ଆକ୍ରମଣ, ଲୁଟ୍‌ ଘଟଣା : ୩ ନିର୍ଦ୍ଦୋଷ

ବ୍ରହ୍ମପୁର ଅଫିସ,୧୭।୮: ଏକ ଆକ୍ରମଣ ଓ ଲୁଟ୍‌ ମାମଲାର ବିଚାର କରି ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ପ୍ରଜ୍ଞା ପାରମିତା ରାଉଳ ୩ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି । ସେମାନେ ହେଲେ ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଖରିଆଗୁଡା ଗ୍ରାମର କେଶବ କୁଣ୍ଡୁ ଓରଫ ଠେସା କାଳିଆ ,ନରସିଂହ କୁଣ୍ଡୁ ଓ ଭଗବାନ ସାହୁ । ପ୍ରକାଶ ଯେ, ଗତ ୨୦୧୪ ଏପ୍ରିଲ ୨୨ ତାରିଖରେ ଜରଡ଼ାର ରାମନାଥ ସାହୁଙ୍କୁ ଠେସା କାଳିଆ ଓ ତାଙ୍କ ୨ ସହଯୋଗୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରିବା ସହ ତାଙ୍କ ବାଇକ ଲୁଟି ନେଇଥିଲେ । ପୋଲିସ କେସ ନଂ. ୫୯/୧୪ ରେ ଠେସା ଓ ତାଙ୍କର ୨ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଶନିବାର ଏହି ମାମଲାର ବିଚାର ବେଳେ ସିଜେଏମ ୧୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ପ୍ରମାଣ ଅଭାବରୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ରାଜେନ୍ଦ୍ର ସାବତ ଓ ମୁଦଲାଙ୍କ ପକ୍ଷରୁ ଆଇନଜୀବୀ କୃଷ୍ଣପ୍ରସାଦ ପଟନାୟକ , ଅଲେଖ ବେହେରା ମକଦ୍ଦମା ପରିଚାଳନା କରିଥିଲେ।