ଅନୁଗୋଳ ଅଫିସ, ୧୧।୫: ଅନୁଗୋଳ ଜିଲାର ୧୩ ଆକ୍ରାନ୍ତଙ୍କ ସମ୍ପର୍କରେ ତଥ୍ୟ ଲିକ୍ ହୋଇଯାଇଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାରଙ୍କ ନିକଟରୁ ଜିଲା ପ୍ରଶାସନ ପାଖକୁ ଆସିଥିବା ସଂକ୍ରମିତଙ୍କ ନାଁ, ଠିକଣା ଆଦିର ତାଲିକା ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହାକୁ ନେଇ ଜିଲା ପ୍ରଶାସନ ଅଡ଼ୁଆରେ ପଡ଼ିଥିବା ବେଳେ କିଭଳି ଭାଇରାଲ ହେଲା ତାହାର ଅନୁସନ୍ଧାନ କରାଯିବ ବୋଲି ଜିଲାପାଳ ମନୋଜ କୁମାର ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ଅନୁଗୋଳ ସହରର ଜଣେ ଯୁବକ ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ ସାନିଟାଇଜ୍ କରାଯିବା କଥା। ତାଙ୍କ ସଂସ୍ପର୍ଶରେ ଆସିଥିବା ପରିବାର ଲୋକଙ୍କୁ କ୍ବାରାଣ୍ଟାଇନ୍ କରିବା କଥା। କିନ୍ତୁ ଖବର ଲେଖା ହେବା ପର୍ଯ୍ୟନ୍ତ ସଂକ୍ରମିତ ଯୁବକଙ୍କ ଘରକୁ ସାନିଟାଇଜ୍ କରାଯାଇ ନାହିଁ କି ତାଙ୍କ ପରିବାରକୁ କ୍ୱାରାଣ୍ଟାଇନ ସେଣ୍ଟରକୁ ନିଆଯାଇ ନାହିଁ। ସେହିପରି ପ୍ରବାସୀମାନେ ଥିବା ସଙ୍ଗରୋଧ କେନ୍ଦ୍ର ସାନିଟାଇଜ୍ କରାଯାଇ ନାହିଁ। ଏ ସମ୍ପର୍କରେ ଜିଲାପାଳ ମହାନ୍ତି କହିଛନ୍ତି, ସଂକ୍ରମିତ ଚିହ୍ନଟ ହୋଇଥିବା ସ୍ଥାନ ଗୁଡ଼ିକୁ ତୁରନ୍ତ ସାନିଟାଇଜ୍ କରାଯିବ। ଆକ୍ରାନ୍ତ ଯୁବକଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ଯାଞ୍ଚ ସହ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ବାରାଣ୍ଟାଇନ୍ରେ ରଖାଯିବ।