ଆକ୍ରୋଶମୂଳକ ଗିରଫଦାରି ବିରୋଧରେ ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ

ବିଞ୍ଝାରପୁର,୪।୧୨(ଡି.ଏନ୍‌.ଏ): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ କଲ୍ୟାଣପୁର ପଞ୍ଚାୟତରେ ଗତ ସାଧାରଣ ନିର୍ବାଚନ ପରଠାରୁ ରାଜନୈତିକ ଛକାପଞ୍ଝା ଲାଗି ରହିଆସୁଥିଲା। ସୋମବାର ସାରେ ଏହା ଉଗ୍ରରୂପ ଧାରଣ କରି ଗୋଷ୍ଠୀ ସଂଘର୍ଷରେ ପରିଣତ ହେବାରୁ ଏଥିରେ ୨ଜଣ ଗୁରୁତର ହୋଇଥିଲେ। ଏହି ଘଟଣାରେ ପୋଲିସ ପୃଥକ ପୃଥକ ୪ଟି ମାମଲା ରୁଜୁ କରିବା ସହିତ ଉଭୟ ଗୋଷ୍ଠୀରୁ ୩ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା । ତେବେ ଏହି ଗିରଫଦାରିରେ ପଞ୍ଚାୟତର ପୂର୍ବତନ ସରପଞ୍ଚ ମୁକ୍ତିକାନ୍ତ ସାମଲଙ୍କ ଗିରଫକୁ ନେଇ ଭାଜପା ଶିବିରରେ ଉତ୍ତେଜନା ପ୍ରକାଶ ପାଇଥିଲା । ମୁକ୍ତିକାନ୍ତଙ୍କୁ ପୋଲିସ ଆକ୍ରୋଶମୂଳକ ଭାବେ ଗିରଫ କରିଛି ବୋଲି ଭାଜପା ଅଭିଯୋଗ କରି ଏହାର ପ୍ରତିବାଦରେ ବୁଧବାର ବିଞ୍ଝାରପୁର ଥାନା ସମ୍ମୁଖରେ ବିକ୍ଷୋଭ କରିଛି। ଭାଜପା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ କର୍ମୀ ଏକ ଜୁଟହୋଇ ପ୍ରତିବାଦ ସଭା କରିବା ସହିତ କଲ୍ୟାଣପୁର ରାଜନୈତିକ ଗୋଷ୍ଠୀ ସଂଘର୍ଷ ଘଟଣାରେ ବିଞ୍ଝାରପୁର ଥାନାଧିକାରୀ ଶିବଚରଣ ବେହେରାଙ୍କ ଏକପାଖିଆ କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଛନ୍ତି। ଏହା ସହିତ ନିରପେକ୍ଷ ତଦନ୍ତ କରି ପ୍ରକୃତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଦାବି ଜଣାଇଛନ୍ତି । ପରେ ଯାଜପୁର ଏସ୍‌ଡିପିଓ କର୍ମୀଙ୍କୁ ବୁଝାଶୁଝା କରିବା ସହିତ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ କର୍ମୀମାନେ ଥାନା ସମ୍ମୁଖରୁ ହଟିଥିଲେ।