ଆକ୍ସନ ମୁଡ୍‌ରେ ଗଞ୍ଜାମ ଜିଲାପାଳ: ସାଇକେଲରେ ବୁଲି ତଦାରଖ କରୁଛନ୍ତି ସଫେଇ କାର୍ଯ୍ୟ, ବାହାରେ ପ୍ଲାଷ୍ଟିକ୍‌ ପକାଇଥିବାରୁ ମଦଦୋକାନକୁ ୧ ଲକ୍ଷ ଜରିମାନା

ବ୍ରହ୍ମପୁର ଅଫିସ,୧୨ା୩-ବ୍ରହ୍ମପୁର ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବାକୁ ବ୍ରହ୍ମପୁର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଜିରୋ ସ୍ବିପିଂ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମାର୍ଚ୍ଚ ୧ରୁ ସହରରେ ରାତ୍ରିକାଳୀନ ସଫେଇ କାର୍ଯ୍ୟ ଆରମ୍ଭ ହୋଇଛି । ଗୁରୁବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସଫେଇ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ଜିଲାପାଳ ଭୋର୍‌ରୁ ସାଇକେଲରେ ସହର ପରିକ୍ରମା କରି ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ବିଏମ୍‌ସି ପରିସରରୁ ସକାଳୁ ସାଇକେଲରେ ବାହାରି ଗିରିମାର୍କେଟ, କର୍ପୋରେଶନ ରୋଡ୍‌, ଆସ୍କା ରୋଡ୍‌,ଗେଟ ବଜାରରୁ ଲୋଚାପଡା, ବୈକୁଣ୍ଠନଗର, ନୂଆ ବସ୍‌ଷ୍ଟାଣ୍ଡ, ଏମ୍‌କେସିଜି ରୋଡ, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଅଞ୍ଚଳ ପରିକ୍ରମା କରିଛନ୍ତି । ସାଇକେଲରେ ବୁଲିବା ବେଳେ ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ଟିଫିନ୍‌ ସେଣ୍ଟର ଓ ଲୋଚାପଡା ରୋଡସ୍ଥିତ ଅନ୍ୟ ଏକ ଟିଫିନ୍‌ ଦୋକାନୀଙ୍କଠାରୁୁ ରାସ୍ତାରେ ଆବର୍ଜନା ପକାଇଥିବା କାରଣରୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଥିଲୋ ଏଥିସହ କର୍ପୋରେଶନ ରୋଡ୍‌ରେ ସଫେଇ କାର୍ଯ୍ୟ ଅନୁଧ୍ୟାନ ବେଳେ ରାସ୍ତା ପାର୍ଶ୍ୱରେ ଥିବା ଦେଶୀ ମଦଦୋକାନ ବାହାରେ ପ୍ଲାଷ୍ଟିକ ଆବର୍ଜନା ପକାଇଥିବା କାରଣରୁ ମାଲିକଙ୍କୁ ଜିଲାପାଳ ୧ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ସେହିପରି ତହସିଲ ଅଫିସ ପାଖରେ ଏକ ଠେଲା ଦୋକାନୀ ପଲିଥିନ ବ୍ୟବହାର କରୁଥିବା କାରଣରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବିଏମ୍‌ସି ଡେପୁଟି କମିଶନର ରୋମାଞ୍ଚଳ ଖମାରୀ ସୂଚନା ଦେଇଛନ୍ତି । ଜିଲାପାଳଙ୍କ ସହର ପରିକ୍ରମା ବେଳେ ଡେପୁଟି କମିଶନର ଖମାରୀଙ୍କ ସମେତ ବିଏମ୍‌ସିର ସାନିଟେଶନ ଇନ୍ସପେକ୍ଟର ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Share