Categories: ଜାତୀୟ

ଆକ୍ସନ ମୁଡ୍‌ରେ ରାହୁଲ: ଏବେବି ଅଧ୍ୟକ୍ଷ ପଦକୁ ନେଇ ଅନିଶ୍ଚିତତା

ନୂଆଦିଲ୍ଲୀ,୨୫।୬: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୁଣି ଥରେ ଆକ୍ସନ ମୋଡରେ ବୋଲି କୁହାଯାଉଛି। ଲୋକ ସଭା ନିର୍ବାଚନରେ ହାରିବା ପରେ ଏବେ ପୁଣି ଥରେ ସଙ୍ଗଠନକୁ ଦୃଢ କରିବାକୁ ଲାଗି ପଡିଥିବା କୁହାଯାଉଛି। ପୂର୍ବରୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ନେଇ ଅଡି ବସିଥିବା ରାହୁଲ ଏବେ ପୁଣିଥରେ ଦଳୀୟ କାର୍ଯ୍ୟରେ ମନୋନିବେଶ କରିଥିବାରୁ ଅଧ୍ୟକ୍ଷ ପଦକୁ ସେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଗୁରୁବାର ରାହୁଲ ହରିୟାଣାରେ ଏକ ରାଲିକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ଥିବା ବେଳେ ଯେଉଁ ସବୁ ରାଜ୍ୟରେ ନିର୍ବାଚନ ବାକି ଅଛି ସେହି ରାଜ୍ୟର ନେତାଙ୍କ ସହ ରାହୁଲ ସାକ୍ଷାତ୍‌ ମଧ୍ୟ କରିପାରନ୍ତି। ସୂଚନା ଅନୁଯାୟୀ, ହରିୟାଣାର ରାଜ୍ୟ ସମନ୍ବୟ ସମିତି ସହ ନିଜ ଘରେ ଏକ ବୈଠକ କରିବା ପରେ ଗୁରୁବାର ମହାରାଷ୍ଟ୍ରର ବରିଷ୍ଠ ନେତାଙ୍କୁ କଥାବର୍ତ୍ତା ପାଇଁ ଡାକିଛନ୍ତି। ସେହିପରି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷା ଶିଲା ଦିକ୍ଷିତଙ୍କୁ ମଧ୍ୟ ଶୁକ୍ରବାର ଏକ ସମିକ୍ଷା ବୈଠକ ପାଇଁ ଡାକିଛନ୍ତି। ଅଧ୍ୟକ୍ଷ ପଦକୁ ନେଇ ମୁହଁ ଖୋଲି ନ ଥିବା ରାହୁଲ ଏହି ସମୟରେ ହିଁ ଏସବୁ ବୈଠକର ଆୟୋଜନ କରିଛନ୍ତି। ତେଣୁ କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ଏବେବି ଅନିଶ୍ଚିତତା ଲାଗିରହିଥିବା ଆଲୋଚନା ହେଉଛି।

Share