ଆକ୍ସନ ମୋଡ଼ରେ ଗଣଶିକ୍ଷା ମନ୍ତ୍ରୀ: ଫଳାଫଳ ଶୂନ ଥିବା ୮୨ ସ୍କୁଲକୁ ନୋଟିସ୍‌, ସ୍ଥିତିକୁ ବ୍ୟକ୍ତିଗତ ଭାବେ ପରଖିବେ

ଭୁବନେଶ୍ୱର,୬।୬(ବ୍ୟୁରୋ): ନବୀନଙ୍କ ପଞ୍ଚମ ପାଳିରେ ମନ୍ତ୍ରୀମାନେ ପୂରା ଆକ୍ସନ ମୋଡ୍‌ରେ କାମ କରିବା ଆରମ୍ଭ କରିଦେଲେଣି। ଗୋଟିଏ ପରେ ଗୋଟିଏ ବିଭାଗର ମନ୍ତ୍ରୀ କିଭଳି ସୂଚାରୁରୂପେ କାମ ହୋଇପାରିବ, ସେ ଦିଗରେ ଦୃଷ୍ଟି ରଖୁଛନ୍ତି। ଏହି କ୍ରମରେ ଗଣଶିକ୍ଷା ମନ୍ତ୍ରୀ ଭାବେ ପ୍ରଥମ କରି ଦାୟିତ୍ୱ ସମ୍ଭାଳିଥିବା ସମୀର ଦାସ ମାଟ୍ରିକ୍‌ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ସ୍କୁଲଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଜଣାପଡ଼ିଛି। ଚଳିତ ପରୀକ୍ଷାରେ ଶୂନ ଫଳ କରିଥିବା ୮୨ଟି ବିଦ୍ୟାଳୟକୁ ଗୁରୁବାର ନୋଟିସ ଜାରି କରାଯାଇଛି। ବୋର୍ଡ କାର୍ଯ୍ୟାଳୟ ଗସ୍ତ ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

ଫଳାଫଳ ଶୂୂନ ଥିବା ବିଦ୍ୟାଳୟକୁ ନିଜେ ବ୍ୟକ୍ତିଗତ ଭାବେ ପରିଦର୍ଶନ କରିବେ। ଅସୁବିଧା କେଉଁଠି ରହିଲା ତାହା ଅନୁଧ୍ୟାନ କରିବେ। ଶିକ୍ଷା ପଦ୍ଧତିରେ କେତେକ ପରିବର୍ତ୍ତନର ଆବଶ୍ୟକତା ରହିଛି। ବିଦ୍ୟାଳୟଗୁଡ଼ିକୁ ପରିଦର୍ଶନ କରିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ସରକାରୀ ବିଦ୍ୟାଳୟ ଉପରୁ ଲୋକଙ୍କ ଆସ୍ଥା କମୁଛି। ଏବେ ଏହା ଚ୍ୟାଲେଞ୍ଜର ବିଷୟ ପାଲଟିଛି। ପାଠ୍ୟକ୍ରମରେ ସ୍ପୋକନ୍‌ ଇଂଲିଶ୍‌ ସାମିଲ କରାଯିବାକୁ ଯୋଜନା ରହିଥିବା ମଧ୍ୟ ସେ କହିଛନ୍ତି।

Share