ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ: ବାଲିଅନ୍ତା ବିଇଓ ଅଫିସ, ସ୍କୁଲକୁ ଅଚାନକ ଗସ୍ତ; ଅନୁପସ୍ଥିତ କର୍ମଚାରୀଙ୍କ ଗୋଟିଏ ଦିନର ଦରମା ବନ୍ଦ

ବାଳକାଟି,୧୮।୯(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିରେ ଗଣଶିକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସମୀର ଦାସ। ଏହା ପରଠାରୁ ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ସେ ବିଭିନ୍ନ ଯୋଜନା ହାତକୁ ନେଉଛନ୍ତି। ଏପରିକି ବିଭିନ୍ନ ସମୟରେ ସ୍କୁଲଗୁଡ଼ିକୁ ଅଚାନକ୍‌ ଗ୍ରସ୍ତ କରି ସରକାରୀ ସ୍କୁଲରେ ଶିକ୍ଷା ବ୍ୟବସ୍ଥାକୁ ପରଖୁଥିବା ଦେଖିବାକୁ ମିଳୁଛି। ଏହି କ୍ରମରେ ବୁଧବାର ବାଲିଅନ୍ତା ବ୍ଲକ ବିଇଓ ଅଫିସ୍‌ରେ ମନ୍ତ୍ରୀ ହଠାତ୍‌ ପହଞ୍ଚିଥିଲେ। ପୂର୍ବାହ୍ନ ୧୦.୨୦ ହୋଇଥିଲେ ସୁଦ୍ଧା ଅଫିସରେ ୨ଜଣଙ୍କୁ ଛାଡ଼ି ଅନ୍ୟ ୧୦ଜଣ କର୍ମଚାରୀ ଅନୁପସ୍ଥିତ ଥିବା ସେ ଦେଖିବାକୁ ପାଇଥିଲେ। ବିଳମ୍ବର କାରଣ ପଚାରି ବୁଝିବା ସହ କର୍ମଚାରୀଙ୍କ ଗୋଟିଏ ଦିନର ଦରମା କାଟ ଏବଂ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ପରେ ମନ୍ତ୍ରୀ ନୂଆ ପାଟଣା ୟୁପି ସ୍କୁଲ ଏବଂ ପ୍ରତାପ ଶାସନ ହାଇସ୍କୁଲ ଯାଇ ଶିକ୍ଷକଙ୍କ ଉପସ୍ଥାନ ଯାଞ୍ଚ କରିବା ସହ ଛାତ୍ରୀଛାତ୍ରଙ୍କ ସହ ପାଠପଢ଼ା ବିଷୟରେ ଆଲୋଚନା କରିଛନ୍ତି।

Share