ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପ୍ରସ୍ତୁତି

ଭଦ୍ରକ ଅଫିସ,୩୦।୧ – ଭଦ୍ରକ ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ବୁଧବାର ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ଜାଗର ମହୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ ଜିଲାପାଳ ଜ୍ଞାନରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ଫେବୃୟାରୀ ୨୧ରେ ଥିବା ମହାଶିବରାତ୍ରି ପାଇଁ ଆୟୋଜିତ ଏହି ବୈଠକକୁ ବାବାମଣିଙ୍କ ଜାଗରଯାତ୍ରା ଉପଲକ୍ଷେ ହେବାକୁ ଥିବା ନୀତିକାନ୍ତି ସହ ସମ୍ପୃକ୍ତ ସେବାୟତମାନେ ବର୍ଜନ କରିଛନ୍ତି। ପୀଠ ପରିସରରେ ନୂତନ ଶ୍ରାବଣୀ ମଣ୍ଡପ ତିଆରି କରା ନ ଯିବା, ଶିବଗଙ୍ଗା ପୁଷ୍କରିଣୀ ମଧ୍ୟରେ ଚନ୍ଦନ ମନ୍ଦିର ନିର୍ମାଣ ନ ହେବା, ଆଗନ୍ତୁକ ଭକ୍ତଙ୍କ ପାଇଁ ପରିସ୍ରାଗାର ବ୍ୟବସ୍ଥା ନ ଥିବା ନେଇ ଏହି ସେବାୟତମାନେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିଆସୁଥିଲେ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ କରି ମହାଦୀପ ସେବାୟତ ଅମର ପାଢ଼ୀ, କନିକା ରାଜାଙ୍କ ପହିଲି ଘର୍ଷଣ ଲାଗି କରୁଥିବା ବଡ଼ପଣ୍ଡାଙ୍କ ପ୍ରତିନିଧି ବାବାଜୀ ଶଙ୍କର ପାଢ଼ୀ, ପାଳିଆ ସେବାୟତ ଓ ପ୍ରହର ପୂଜାରେ ନିୟୋଜିତ ଥିବା ସେବାୟତ ପ୍ରସ୍ତୁତି ବୈଠକରେ ଯୋଗ ଦେଇ ନ ଥିଲେ।
ଜାଗରଯାତ୍ରା ଉପଲକ୍ଷେ ବାବାମଣିଙ୍କ ନୀତିନିର୍ଘଣ୍ଟ ଅନୁଯାୟୀ ଭୋର ୪ଟାରେ ମନ୍ଦିର ପହଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ କନିକା ରାଜାଙ୍କ ତରଫରୁ ପହିଲି ଘର୍ଷଣ ଭୋଗ, ୫ଟା ୪୫ରୁ ରାତି ୧୧ଟା ୩୦ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦିଅଁ ଦର୍ଶନ ଏବଂ ଘର୍ଷଣ ଭୋଗ ପରେ ବିଭିନ୍ନ ସମୟରେ ବିଭିନ୍ନ ପୂଜା ଉପଚାର ଅନୁଷ୍ଠିତ ହେବ। ରାତି ୧୨ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ଶ୍ରୀଜୀଉଙ୍କ ସୁନାବେଶ ସମ୍ପୂର୍ଣ୍ଣ ଏବଂ ମହାଦୀପ ପ୍ରସ୍ତୁତି, ୧ଟା ୩୦ରୁ ୩ଟା ୧୫ରେ ସର୍ବସାଧାରଣଙ୍କ ସୁନାବେଶ ଦର୍ଶନ। ପରେ ୪ଟା ୧୫ ମଧ୍ୟରେ ମହାଦୀପ ପୂଜା ସହ ୪ଟା ୧୫ରୁ ସାଢ଼େ ୪ଟା ମଧ୍ୟରେ ମହାଦୀପ ଗମ୍ଭୀରାରୁ ଆନୟନ ଓ ଶ୍ରୀଜୀଉଙ୍କ ପହଡ଼। ୪ଟା ୩୦ରୁ ଭୋର ୫ଟା ମଧ୍ୟରେ ମହାଦୀପ କୀର୍ତ୍ତନ ସହ ବେଢା ପରିକ୍ରମା ପରେ ମନ୍ଦିର ଚୂଡ଼ାରେ ସ୍ଥାପନ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମ ହେତୁ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଜିଲା ପ୍ରଶାସନ ଓ ମ୍ୟାନେଜିଂ ଟ୍ରଷ୍ଟି ତରଫରୁ ବିହିତ ପଦକ୍ଷେପ ନିଆଯିବ। ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲାପାଳ ପୀତାମ୍ବର ସାମଲଙ୍କ ସହ ବିଭିନ୍ନ ବିଭାଗୀୟ ଅଧିକାରୀ ତଥ୍ୟ ଉପସ୍ଥାପନ କରିଥିଲେ। ଅଧିକ ପୋଲିସ ଫୋର୍ସ ବ୍ୟବସ୍ଥା, ରାତ୍ରିକାଳୀନ ନିରବଚ୍ଛିନ୍ନ ବିଦ୍ୟୁତ୍‌ ସେବା, ପର୍ଯ୍ୟାପ୍ତ ଆଲୋକ, ରାସ୍ତାଘାଟ ମରାମତି ଓ ଗମନାଗମନ ଆଦି ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଚଳିତବର୍ଷ ଜାଗରଯାତ୍ରା ଦିନ ଭକ୍ତମାନଙ୍କ ସୁରକ୍ଷା ପାଇଁ ସନ୍ଧ୍ୟା ୬ଟା ପରେ ଡଙ୍ଗା ଚଳାଚଳ ବନ୍ଦ ରଖିବା ସହିତ ଯାତ୍ରିବାହୀ ଗାଡ଼ି ଏବଂ ଡଙ୍ଗାଗୁଡ଼ିକରେ ଅତ୍ୟଧିକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯାଇଛି। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲାପରିଷଦ ସଭାପତି ଦ୍ୱିଜବର ରାଉତ, ସିଡିଏମ୍‌ଓ ଡା. ଜଗନ୍ନାଥ ପହି, ଏସ୍‌ଡିପିଓ ମନୋରଞ୍ଜନ ସାମଲ, ସେବାୟତ ପ୍ରତିନିଧି ସରୋଜ ପାଢୀଙ୍କ ସମେତ ବହୁ ଅଧିକାରୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଦ୍ୟାଧର ପଲେଇ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।