ଆଖଣ୍ଡଳମଣି ପୀଠର ବିକାଶ ଲାଗି ଉଦ୍ୟମ ଆରମ୍ଭ

ଆରଡି, ୨୪ା୯ (ଡି.ଏନ.ଏ.)-ଭଦ୍ରକ ଜିଲାର ଆରଡିସ୍ଥିତ ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ପୀଠର ବିକାଶ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଭଦ୍ରକ ଜିଲାପାଳ ଜ୍ଞାନରଞ୍ଜନ ଦାସ, ଅତିରିକ୍ତ ଜିଲାପାଳ ଶ୍ୟାମାଭକ୍ତ ମିଶ୍ର, ଉପ ଜିଲାପାଳ ପୀତାମ୍ବର ସାମଲ ପ୍ରମୁଖ ମନ୍ଦିର କାର୍ଯ୍ୟାଳୟଠାରେ ମଙ୍ଗଳବାର ଏ ନେଇ ସେବାୟତମାନଙ୍କ ସହ ଆଲୋଚନା କରିଥିଲେ । ମନ୍ଦିର ଗର୍ଭଗୃହରେ ଥିବା ଚଟାଣ ମରାମତି, ରତ୍ନ ପଲଙ୍କ ମରାମତି, ମନ୍ଦିରର ପାଣି ଝରୁଥିବା ସ୍ଥାନର ମରାମତି କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ବୋଲି ଜିଲାପାଳ କହିଥିଲେ । ପୂର୍ବରୁ ବେଢା ସମ୍ପ୍ରସାରଣ ବେଳେ ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କୁ ଥଇଥାନ କରିବା ସକାଶେ ପୁରୁଣା କଲ୍ୟାଣ ମଣ୍ଡପ ନିକଟରେ ୪୦ ରୁ ୫୦ ବଖରା ବିଶିଷ୍ଠ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରାଯିବା, ଫୁଲବଗିଚାର ଉନ୍ନତୀକରଣ, ପୁରୁଣା ସୁଲଭ ଶୌଚାଳୟକୁ ଭାଙ୍ଗି ନୂତନ ଶୌଚାଳୟ ନିର୍ମାଣ, ପୀଠର ୨ ଗୋଟି ସ୍ଥାନରେ ବାଇକ ଓ ୪ ଚକିଆ ଯାନ ରହଣି ପାଇଁ ସ୍ଥାନ ଚୟନ ବିଷୟରେ ଉପସ୍ଥିତ ଜିଲା ଅଧିକାରୀମାନେ ସମୀକ୍ଷା କରିଥିଲେ । ଚାନ୍ଦବାଲି ତହସିଲଦାର ସତ୍ୟଜିତ ରାଉତ, ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ଆରଡି ରାଜସ୍ବ ନିରୀକ୍ଷକ ଦେବାଶିଷ ରାୟ, ଆରଡି ସରପଞ୍ଚ ଅରବିନ୍ଦ ପାଢୀ, ଅନ୍ୟ ବରିଷ୍ଠ ଓ ଯୁବ ସେବାୟତମାନେ ଉପସ୍ଥିତ ଥିଲେ ା ପରେ ଜିଲା ଅଧିକାରୀମାନେ ପୀଠର ବିକାଶ ଲାଗି ବିଭିନ୍ନ ସରକାରୀ ଜାଗାର କ୍ଷେତ୍ରୀୟ ତଦନ୍ତ କରିଥିଲେ । ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତୀକରଣ କାର୍ଯ୍ୟକୁ ଅଧିକ ତ୍ୱରାନିତ କରିବା ଲାଗି ଉପଜିଲାପାଳ ପ୍ରତି ଗୁରୁବାର ଆସି ପୀଠରେ ଉପସ୍ଥିତ ରହିବେ ବୋଲି ଜିଲାପାଳ କହିଥିଲେ । ଏଥିସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ଅର୍ଥ ମଞ୍ଜୁର ପାଇଁ ଚେଷ୍ଟା ଅବ୍ୟାହତ ରହିଛି ବୋଲି ସେ ପ୍ରକାଶ କରିଥିଲେ ା