ଆଖଣ୍ଡଳମଣି ମନ୍ଦିର ପରିସରକୁ ପଲିଥିନ ମନା

ଆରଡ଼ି,୨୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଆରଡ଼ିର ପ୍ରସିଦ୍ଧ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପରିସରକୁ ସୋମବାରଠାରୁ ପଲିଥିନ ଓ ପ୍ଲାଷ୍ଟିକ ଜାତୀୟ ଉପକରଣ ପ୍ରବେଶ ଉପରେ ରୋକ ଲଗାଇଛନ୍ତି ଉଭୟ ମନ୍ଦିର ପ୍ରଶାସନ ଓ ସ୍ଥାନୀୟ ପୋଲିସ। ଏହି ଆଇନକୁ କୌଣସି ବର୍ଗର ଲୋକେ ଅମାନ୍ୟ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରବିବାର ସମସ୍ତ ବ୍ୟବସାୟୀ ପ୍ରତିଷ୍ଠାନକୁ ମନ୍ଦିର ପ୍ରଶାସନ ଓ ପୋଲିସ ପକ୍ଷରୁ ଲଟ୍‌କା ଜାରି କରାଯାଇଛି। ଏହାସହିତ ମନ୍ଦିର ଟ୍ରଷ୍ଟ ପକ୍ଷରୁ ବିଭିନ୍ନ ସ୍ଥାନରେ ସଚେତନତା ଫଳକ ଲଗାଯାଇ ପର୍ଯ୍ୟଟକଙ୍କୁ ସୂଚନା ଦିଆଯାଇଛି।
ରବିବାର ଆରଡ଼ି ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଓ ମନ୍ଦିର ଟ୍ରଷ୍ଟର ସହପରିଚାଳକ ସୁଧାକର ବିଶ୍ୱାଳ ମିଳିତ ଭାବେ ମନ୍ଦିର ପରିସର ଏବଂ ପୀଠରେ ଥିବା ସମସ୍ତ ବ୍ୟବସାୟୀଙ୍କୁ ଭେଟିଥିଲେ। ସୋମବାରଠାରୁ ପଲିଥିନ ବ୍ୟବହାର ନ କରିବାକୁ ସେମାନଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ଦୋକାନ ସାମ୍ନା ଓ ବଜାର ମଧ୍ୟରେ ଅଳିଆ ଆବର୍ଜନା ନ ପକାଇବା ପାଇଁ ତାଗିଦ୍‌ କରିବା ସହିତ ଧାମରା ବନ୍ଦର ଆଦାନୀ ପକ୍ଷରୁ ମିଳିଥିବା ଡଷ୍ଟବିନ ବ୍ୟବହାର କରିବାକୁ ସମସ୍ତଙ୍କୁ ସଚେତନ କରାଇଥିଲେ। ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇଙ୍କ କହିବା ଅନୁଯାୟୀ ପୀଠରେ ପଲିଥିନମୁକ୍ତ କରିବା ଲାଗି ଟ୍ରଷ୍ଟି ତଥା ଉପଜିଲାପାଳଙ୍କ ପରାମର୍ଶ କ୍ରମେ ଏପରି ପଦକ୍ଷପ ହାତକୁ ନିଆଯାଇଛି। ତାହାସହ ପର୍ଯ୍ୟାୟକ୍ରମେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସଚେତନତା କରାଯିବ ବୋଲି ପରିଚାଳକ ପଲାଇ କହିଥିଲେ। ଅନ୍ୟପକ୍ଷେ ପୂର୍ବରୁ କୌଣସି ସୂଚନା ଦିଆ ନ ଯାଇ ହଠାତ୍‌ ଏପରି ନିଷ୍ପତ୍ତି ନିଆଯିବା ଦ୍ୱାରା ବହୁ ବ୍ୟବସାୟୀ ହଇରାଣ ହେବେ ବୋଲି କେତେକ ବ୍ୟବସାୟୀ ମତପ୍ରକାଶ କରିଛନ୍ତି।