ଆଖିଓଁ ସେ ଗୋଲି ମାରେ

‘ଲଡ୍‌କି କମାଲ ହୈ ତୋ ଆଖିଓଁ ସେ ଗୋଲି ମାରେ’ ଗୀତ ସେ ସମୟରେ ବେଶ୍‌ ଲୋକପ୍ରିୟ ହୋଇଥିଲା। ଗୋବିନ୍ଦା ଏବଂ ରବିନା ଟଣ୍ଡନଙ୍କ ଡ୍ୟାନ୍ସ ମଧ୍ୟ କୌଣସି ଗୁଣରେ କମ୍‌ ନ ଥିଲା। ଦର୍ଶକ ଖୁବ୍‌ଶୀଘ୍ର ଏହି ଗୀତଟିକୁ ପୁଣିଥରେ ବଡ଼ ପରଦାରେ ଦେଖିବାକୁ ପାଇବେ। ଫିଲ୍ମଟି ହେଲା ‘ପତି ପତ୍ନୀ ଔର ଓ’। ଉକ୍ତ ଗୀତ ପାଇଁ କଣ୍ଠଦାନ କରିଛନ୍ତି ମିକା ସିଂ ଏବଂ ତୁଳସୀ କୁମାର। ଖାସ୍‌ କଥା ହେଲା, ଏହି ଗୀତରେ ନାୟିକା ଅନନ୍ୟା ପାଣ୍ଡେଙ୍କ ଡ୍ୟାନ୍ସ ଏବେ ଆଲୋଚନାର କେନ୍ଦ୍ରବିନ୍ଦୁ ସାଜିଛି। ଏ ବିଷୟରେ ଅନନ୍ୟା କହନ୍ତି, ‘ଏହା ପୂର୍ବରୁ ଅନେକ ଷ୍ଟେଜ୍‌ ଶୋ’ରେ ମୁଁ ଏହି ଗୀତରେ ନାଚି ସାରିଛି। ହେଲେ ‘ପତି ପତ୍ନୀ ଔର ଓ’ରେ ମୋ ଡ୍ୟାନ୍ସ କିପରି ହୋଇଛି ତାହାର ଉତ୍ତର ଦର୍ଶକ ହିଁ ଦେବେ।’ ମୁଦ୍ଦାସର ଅଜିଜ୍‌ଙ୍କ ନିର୍ଦ୍ଦେଶନାରେ ଏହି ଫିଲ୍ମଟି ଚଳିତବର୍ଷ ଡିସେମ୍ବର ୬ରେ ରିଲିଜ୍‌ ହେବାକୁ ଯାଉଛି।

Share