Categories: ଜାତୀୟ

ଆଖିବୁଜିଲେ ମହିଳା ତହସିଲଦାରଙ୍କ ଡ୍ରାଇଭର

ହାଇଦ୍ରାବାଦ, ୬ା୧୧(ପି.ଟି.): ମହିଳା ତହସିଲଦାର ବିଜୟା ରେଡ୍ଡୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ପୋଡ଼ିମାରିବା ଘଟଣାର ଦିନକ ପରେ ତାଙ୍କ ଡ୍ରାଇଭର ଗୁରୁନାଥମ୍‌ ପ୍ରାଣ ହରାଇଛନ୍ତି। ବିଜୟାଙ୍କୁ ବଞ୍ଚାଇବା ଲାଗି ସେ ଉଦ୍ୟମ କରିଥିବାବେଳେ ତାଙ୍କ ଶରୀରର ୬୦ ଭାଗ ପୋଡ଼ି ଯାଇଥିଲା। ଗୁରୁତର ଭାବେ ସୋମବାର ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ରଚକୋଣ୍ଡା ପୋଲିସ କମିଶନର ମହେଶ ଏମ୍‌. ଭଗଓ୍ବତ୍‌ ପ୍ରକାଶ କରିଛନ୍ତି। ପ୍ରକାଶଥାଉ କି, ସୋମବାର ଅପରାହ୍ନ ୧ଟା ୩୦ରେ ସୁରେଶ ନାମକ ଜଣେ ବ୍ୟକ୍ତି ଜମିବାଡ଼ି ମାମଲାକୁ ନେଇ ତହସିଲ ଅଫିସ୍‌ ଆସିଥିବାବେଳେ ମହିଳା ତହସିଲଦାରଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ପରେ ସୁରେଶ ରାଗିଯାଇ ତହସିଲଦାରଙ୍କ ଉପରେ ପେଟ୍ରୋଲ ପକାଇ ଜାଳିଦେଇଥିଲେ। ତାଙ୍କୁ ବଞ୍ଚାଇବା ଲାଗି ୨ ଜଣ ବାହାରିଥିବାବେଳେ ତହସିଲଦାରଙ୍କ ଡ୍ରାଇଭର ଗୁରୁନାଥମ୍‌ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହି ମାମଲାର ତଦନ୍ତ ଜାରିରହିଛି ଓ ସୁରେଶଙ୍କ ପରିବାର ସଦସ୍ୟଙ୍କୁ ଜେରା ଚାଲିଥିବା ଭଗଓ୍ବତ୍‌ କହିଛନ୍ତି। ଏହି ଘଟଣା ପରେ ତେଲେଙ୍ଗାନାରେ ରାଜସ୍ବ ବିଭାଗର କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଥିବା ଜଣାପଡ଼ିଛି। ମହିଳା ତହସିଲଦାରଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହି ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗିରହିଥିବାବେଳେ ଘଟଣାର ତଦନ୍ତ କରାଯାଇ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

Share