ଆଖିର ଏସ୍‌-୨ ରିସେପ୍ଟର ଦ୍ୱାରା ବି ହୋଇପାରେ କରୋନା ସଂକ୍ରମଣ

ଓ୍ବାଶିଂଟନ,୧୨।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କେତେକ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ଲୋକଙ୍କୁ ମାସ୍କ୍‌ ପିନ୍ଧିବା ଲାଗି ପରାମର୍ଶ ଦିଆଯାଇଛି। ତେବେ ଆଖି ଦ୍ୱାରା ମଧ୍ୟ ସହଜରେ କରୋନା ସଂକ୍ରମଣ ହୋଇପାରିଥାଏ। ଏନେଇ ଆମେରିକାର ଜନ୍‌ ହାପକିନ୍ସ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ସଂକ୍ରମିତ କାଶିବା ଅବା ଛିଙ୍କିବା ସମୟରେ ତାଙ୍କଠାରୁ କ୍ଷୁଦ୍ର ଜଳକଣା ପବନରେ ଉଡ଼ିବୁଲି ସୁସ୍ଥ ଲୋକଙ୍କ ଆଖିର ଏସ୍‌-୨ ରିସେପ୍ଟରରେ ଲାଗି ଯାଇଥାଏ। ଫଳରେ ଆଖି ଲାଲ୍‌ ପଡ଼ିଯାଇଥାଏ। ଏହାପରେ କରୋନା ସଂକ୍ରମଣ ଆଖିରୁ ଶରୀରରେ ବ୍ୟାପିବାକୁ ଲାଗିବାର ଆଶଙ୍କା ରହିଥାଏ। ଲୁହ ଦ୍ୱାରା କରୋନା ଭୂତାଣୁ ଧୀରେଧୀରେ ସାରା ଶରୀରକୁ ସଂକ୍ରମିତ କରିଥାଏ। ଏନେଇ ଚକ୍ଷୁରୋଗ ବିଶେଷଜ୍ଞ ଡ. ଲିଙ୍ଗ୍ଲି ଝୋହୁ କହିଛନ୍ତି ଯେ, କରୋନା ସଂକ୍ରମଣ ୧୦ଜଣ ମୃତକଙ୍କ ମୃତଦେହ ବ୍ୟବଚ୍ଛେଦ ସମୟରେ ଏହା ଜଣାପଡ଼ିଛି। ଯେଉଁ ଲୋକଙ୍କ ଆଖିରେ ଏସ୍‌-୨ ରିସେପ୍ଟର ଅଧିକ ଥାଏ ସେମାନଙ୍କ କ୍ଷେତ୍ରରେ ଭୂତାଣୁ ସଂକ୍ରମଣର ଆଶଙ୍କା ବେଶି ରହିଥାଏ। ଏସ୍‌-୨ ରିସେପ୍ଟର ଦ୍ୱାରା ସଂକ୍ରମଣ ସିଧାସଳଖ ରକ୍ତରେ ହୋଇଥାଏ। ନାକ ଏବଂ ଆଖି ମଧ୍ୟରେ ସଂଯୋଗ ଥିବାରୁ ଭୂତାଣୁ ସହଜରେ ଶ୍ୱାସନଳୀରେ ମଧ୍ୟ ସଂକ୍ରମଣ ଆରମ୍ଭ କରିଥାଏ ବୋଲି ଲଣ୍ଡନର ଇମ୍ପାରିଆଲ୍‌ କଲେଜ ଭୂତାଣୁ ବିଶେଷଜ୍ଞ ପ୍ରଫେସର ପଲ୍‌ କେଲମ୍‌ କହିଛନ୍ତି। ଆଖି ଦ୍ୱାରା ୩୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ କରୋନା ସଂକ୍ରମଣର ଆଶଙ୍କା ରହିଥାଏ। ତେଣୁ ଆଖିକୁ ମଧ୍ୟ ଢ଼ାଙ୍କିବାର ଆବଶ୍ୟକତା ରହିଥିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।

Share