ଆଖି ବୁଜିଲେଣି ୨୬୩ ଆକ୍ରାନ୍ତ

ନୂଆଦିଲ୍ଲୀ,୧୨।୪: ଭାରତରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଲକ୍‌ଡାଉନ୍‌ ସତ୍ତ୍ୱେ କରୋନା ଭୂତାଣୁକୁ ରୋକାଯାଇପାରୁନି। ସଂକ୍ରମଣର ମାତ୍ରା ବଢ଼ି ବଢ଼ି ଚାଲିଛି। ଶନିବାର ସୁଦ୍ଧା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮,୩୨୩ରେ ପହଞ୍ଚି ଥିବାବେଳେ ମୋଟ ୨୬୩ ଜୀବନ ଗଲାଣି। କେବଳ ଶନିବାର ୧୪ ମୁଣ୍ଡ ଗଡ଼ିଥିବା ବେଳେ ୭୨୫ ଜଣ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସବୁଠାରୁ ପ୍ରଭାବିତ ହୋଇଛି ମହାରାଷ୍ଟ୍ର। ଏଠାରେ ଅଦ୍ୟାବଧି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୧,୭୬୧ରେ ପହଞ୍ଚିଛି। ରାଜ୍ୟରେ ଭୂତାଣୁ ୧୧୦ ମୁଣ୍ଡ ନେଇଥିବା ବେଳେ ୨୪ ଘଣ୍ଟାରେ ୧୮୭ ଆକ୍ରାନ୍ତ ହୋଇଥିବା ପ୍ରକାଶ। ତାମିଲନାଡ଼ୁ ଓ ରାଜଧାନୀ ଦିଲ୍ଲୀରେ ମଧ୍ୟ ସମାନ ସ୍ଥିତି। ତାମିଲନାଡ଼ୁରେ ଭୂତାଣୁ ୧୦ ମୁଣ୍ଡ ନେଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୯୬୯ରେ ପହଞ୍ଚିଛି। ଦିଲ୍ଲୀରେ ୧୯ ଜୀବନ ଯାଇଥିବା ବେଳେ ୧,୦୬୯ ଜଣ ଭୂତାଣୁ ଆକ୍ରାନ୍ତ ହୋଇଛନ୍ତି। ତେଲଙ୍ଗାନାରେ ୧୨, କେରଳରେ ୨, ଉତ୍ତରପ୍ରଦେଶରେ ୫, ଆନ୍ଧ୍ରପ୍ରଦେଶରେ ୬, ମଧ୍ୟପ୍ରଦେଶରେ ୩୯, ଗୁଜରାଟରେ ୨୨, ପଞ୍ଜାବରେ ୧୨, ଜମ୍ମୁ-କଶ୍ମୀରରେ ୪, ପଶ୍ଚିମବଙ୍ଗରେ ୫, କର୍ନାଟକରେ ୬, ରାଜସ୍ଥାନରେ ୩, କେରଳ ଓ ହରିୟାଣାରେ ୨ ଲେଖାଏ ଜୀବନ ନେଇଛି ଏହି ମହାମାରୀ ଭୂତାଣୁ। ବିଭିନ୍ନ ରାଜ୍ୟରେ ସଂକ୍ରମଣ ସଂଖ୍ୟା ବଢ଼ିଚାଲିଛି। ଲକ୍‌ଡାଉନ୍‌କୁ ମାନି ସାମାଜିକ ଦୂରତ୍ୱ ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଉଛି। କ୍ରମଶଃ ଭାରତର ସ୍ଥିତି ଜଟିଳ ହେବାରେ ଲାଗିଛି। ପରିସ୍ଥିତିକୁ ଦେଖି ଦେଶରେ ଲକ୍‌ଡାଉନ୍‌ ସମୟ ବୃଦ୍ଧିକରିବା ଲାଗି ସହମତି ପ୍ରକାଶ ପାଇଛି।

Share