Categories: ଜାତୀୟ

ଆଖି ବୁଜିଲେ ଉନ୍ନାଓ ପୀଡ଼ିତା

ନୂଆଦିଲ୍ଲୀ,୭।୧୨: ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ହାରିଯାଇଛନ୍ତି ଉନ୍ନାଓର ଗଣବଳାତ୍କାର ପୀଡ଼ିତା। ୨୩ ବର୍ଷୀୟା ଯୁବତୀଙ୍କ ଶରୀରର ୯୦ ଭାଗ ପୋଡ଼ିଯାଇଥିବାରୁ ତାଙ୍କୁ ଗୁରୁବାର ରାତିରେ ଲକ୍ଷ୍ନୌରୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଅଣାଯାଇଥିଲା। ସଫ୍‌ଦରଜଙ୍ଗ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ବିଳମ୍ବିତ ରାତିରେ ସେ ଆଖିବୁଜି ଦେଇଛନ୍ତି। ଡାକ୍ତରୀ ଦଳର ତମାମ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଯାଇ ପାରିନାହିଁ। ରାତି ୧୧ଟା ୪୫ରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
୨୦୧୮ ଡିସେମ୍ବରରେ ଉନ୍ନାଓର ଶିବମ୍‌ ତ୍ରିବେଦୀ ଓ ଶୁଭମ୍‌ ତ୍ରିବେଦୀ ନାମକ ଦୁଇଜଣ ବ୍ୟକ୍ତି ସମ୍ପୃକ୍ତ ଯୁବତୀଙ୍କୁ ଗଣବଳାତ୍କାର କରିଥିଲେ। ସେମାନେ ମାର୍ଚ୍ଚରେ ଗିରଫ ହୋଇ ଜେଲ ଯାଇଥିଲେ ଓ ନଭେମ୍ବର ୨୫ରେ ଜାମିନରେ ମୁକୁଳିଥିଲେ। ଏହି ମାମଲାର ଶୁଣାଣି ପାଇଁ ପୀଡ଼ିତା ଗୁରୁବାର ଭୋର ୪ଟା ୩୦ରେ ଉନ୍ନାଓରୁ ରାଏବରେଲି କୋର୍ଟକୁ ଯାଉଥିବାବେଳେ ବାଟରେ ଶିବମ୍‌ ଓ ଶୁଭମ୍‌ଙ୍କ ସହ ଅନ୍ୟ ତିନି ଅଭିଯୁକ୍ତ ହରିଶଙ୍କର ତ୍ରିବେଦୀ, ରାମକିଶୋର ତ୍ରିବେଦୀ ଏବଂ ଉମେଶ ବାଜପେୟୀ ମିଶି ତାଙ୍କ ଦେହରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ପୀଡ଼ିତା ପୋଡ଼ିହୋଇଯିବା ପରେ ସାହାଯ୍ୟ ପାଇଁ ୧ କି.ମି. ଦୂର ପର୍ଯ୍ୟନ୍ତ ଧାଇଁଥିଲେ। ପୂର୍ବାହ୍ନ ୧୦ଟାରେ ସିଭିଲ୍‌ ହସ୍ପିଟାଲରେ ତାଙ୍କୁ ଅତି ସଙ୍କଟାପନ୍ନ ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ଶରୀରର ୯୦% ପୋଡ଼ିହୋଇଯାଇଥିବାରୁ ଶୁକ୍ରବାର ରାତିରେ ଲକ୍ଷ୍ନୌରୁ ଏକ ବିମାନରେ ନୂଆଦିଲ୍ଲୀସ୍ଥିତ ସଫ୍‌ଦରଜଙ୍ଗ ହସ୍ପିଟାଲକୁ ପଠାଯାଇଥିଲା। ଇତିମଧ୍ୟରେ ପୀଡ଼ିତା ଜଣକ ଗୁରୁବାର ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଦୟାଶଙ୍କର ପାଠକଙ୍କ ନିକଟରେ ବୟାନ ଦେଇ ଅଭିଯୁକ୍ତଙ୍କ କୁକାର୍ଯ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଶୁକ୍ରବାର ହସ୍ପିଟାଲରେ ପୀଡ଼ିତା ତାଙ୍କ ଭାଇଙ୍କୁ କହିଥିଲେ, ମୁଁ ମରିବାକୁ ଚାହୁଁନାହିଁ। ବର୍ବରକାଣ୍ଡ ଭିଆଇଥିବା ୫ ଜଣଙ୍କୁ କେବେ ଛାଡ଼ିବ ନାହିଁ। ସେମାନେ ଉଚିତ ଦଣ୍ଡ ପାଇବା ଦରକାର। ହେଲେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ଭୋଗିବା ପୂର୍ବରୁ ପୀଡ଼ିତାଙ୍କ ଜୀବନ ଚାଲିଗଲା।

Share