ଆଖି ସାମ୍ନାରେ ପୁଅର ମୃତ୍ୟୁ ଦେଖି ଚାଲିଗଲା ମା’ଙ୍କ ଜୀବନ

ସଜନାଗଡ଼,୨୭ା୪(ଡି.ଏନ୍‌.ଏ.) : ବାଲେଶ୍ୱର ଜିଲା ନୀଳଗିରି ବରହମପୁର ଥାନା ଅଧୀନ ଗରଡିହି ପଞ୍ଚାୟତର ବାଲିଚୁଆ ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ୰ ଶ୍ୟାମସୁନ୍ଦର ସିଂଙ୍କ ପୁଅ ରବୀନ୍ଦ୍ର ସିଂ ଦୀର୍ଘଦିନ ଧରି କିଡ୍‌ନୀ ରୋଗରେ ପୀଡ଼ିତ ଥାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ରବୀନ୍ଦ୍ରଙ୍କ ମା’ ବେଲମଣି ସିଂ ଏବଂ ସ୍ତ୍ରୀ ଜାନକୀଙ୍କ ନିକଟରେ ଅର୍ଥ ନ ଥିବାରୁ ସେ ଏପ୍ରିଲ ୨୪ରେ ଘରକୁ ନେଇ ଯାଇଥିଲେ। ରବିବାର ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହା ଦେଖି ପାଖରେ ଥିବା ତାଙ୍କ ମାଆ ବେଲମଣିଙ୍କର ପୁଅ ମୃତ୍ୟୁର ୧୫ ମିନିଟ୍‌ରେ ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ ରବୀନ୍ଦ୍ରଙ୍କର ୩ ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ଗରିବ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

Share