Categories: ଖେଳ

ଆଖି ହରାଇବା ପରେ ସାମ୍‌ଙ୍କ ଅଲିମ୍ପିକ ଖେଳିବା ଲକ୍ଷ୍ୟ

ଲଣ୍ଡନ, ୨୬।୧୧- ହକିକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଛି ବୋଲି ନିକଟରେ ବଲ୍‌ ବାଜି ବାମଆଖି ହରାଇଥିବା ଗ୍ରେଟ୍‌ ବ୍ରିଟେନ ଓ ଇଂଲଣ୍ଡ ହକି ଖେଳାଳି ସାମ୍‌ ଓ୍ବାର୍ଡ କହିଛନ୍ତି। ୨୮ ବର୍ଷୀୟ ସାମ୍‌ ଗତ ନଭେମ୍ବର ୩ରେ ମାଲେସିଆ ବିପକ୍ଷ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳୁଥିବାବେଳେ ଏହି ଅଘଟଣ ଘଟିଥିଲା। ମ୍ୟାଚ୍‌ ଅବସରରେ ଏକ ବଲ ତାଙ୍କ ବାମଆଖି ପାର୍ଶ୍ୱରେ ମାଡ଼ ହୋଇଥିଲା। ଏହି ମ୍ୟାଚ୍‌ରେ ଗ୍ରେଟ୍‌ ବ୍ରିଟେନ ବିଜୟୀ ହୋଇଥିବାବେଳେ ସାମ୍‌ ୨ଟି ଗୋଲସ୍କୋର କରି ମୁଖ୍ୟ ନାୟକ ସାଜିଥିଲେ। ଏଥିସହ ଗ୍ରେଟ୍‌ ବ୍ରିଟେନ ୨୦୨୦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲା। ତେବେ ଏହି ଘଟଣାରେ ସାମ୍‌ଙ୍କ ରେଟିନାରେ ଗୁରୁତର ଆଘାତ ଲାଗିବା ସହ ବାମଆଖି ହରାଇଥିଲେ। ସେହିଭଳି ମୁହଁର କିଛି ହାଡ଼ ମଧ୍ୟ ଭାଙ୍ଗି ଯାଇଥିଲା।
କିଛି ସପ୍ତାହ ହେବ ମୁଁ ୩ଜଣ ଆଖି ବିଶେଷଜ୍ଞଙ୍କ ନିକଟରୁ ପରାମର୍ଶ ପାଇଛି। ମୋ ବାମଆଖିର ରେଟିନା ନଷ୍ଟ ହୋଇଯାଇଛି। ଏହି କ୍ଷତି ଆଶିଂକଭାବେ ଅପୂରଣୀୟ ବୋଲି ସେମାନେ କହିଛନ୍ତି। ମୋର କିଛି ଦୃଷ୍ଟିଶକ୍ତି ଫେରିପାରେ କିନ୍ତୁ ଏହା ବିଳମ୍ବିତ ପ୍ରକ୍ରିୟା। ଅନ୍ତର୍ଜାତୀୟ ହକିକୁ ପ୍ରତ୍ୟାବର୍ତ୍ତନ କରିବା ଲାଗି ଏହା ମୋ ପାଇଁ ପର୍ଯ୍ୟାପ୍ତ ହେବ କି ନାହିଁ ଜାଣିନି। କେବଳ ସମୟ ହିଁ ସବୁକିଛି କହିବ’ ବୋଲି ସାମ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ସମସ୍ତେ ଜାଣିଛନ୍ତି ମୁଁ ସହଜରେ ମାନେ ନାହିଁ। ଟୋକିଓ ଅଲିମ୍ପିକକୁ ଚୟନ ପାଇଁ ନିଜକୁ ଉପଲବ୍ଧ ରଖିବାକୁ ଚାହେଁ ଏହି ଗ୍ରେଟ୍‌ ବ୍ରିଟେନ ହକି ତାରକା କହିଛନ୍ତି। ‘ସାମ୍‌ ଗୁରୁତର ଆଘାତର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ପୂର୍ଣ୍ଣ ସମର୍ଥନ ଦେବା ସହ ସର୍ବଶ୍ରେଷ୍ଠ ଚିକିତ୍ସା ଯୋଗାଇଦେବା ପାଇଁ ଫୋକସ୍‌ ରଖିଛୁ। ଏହି କଠିନ ସମୟରେ ସମସ୍ତ ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ ତାଙ୍କର ଶୁଭକାମନା କରୁଛନ୍ତି’ ବୋଲି ଟ୍ରେଟ୍‌ ବ୍ରିଟେନ ହକି ପରଫର୍‌ମାନ୍ସ ଡିରେକ୍ଟର ଏଡ୍‌ ବାର୍ନି କହିଛନ୍ତି।

Share