ଆସିକା,୨୫।୩(ଡି.ଏନ୍.ଏ.): ଆସିକା ସମବାୟ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ଚାଲୁ ରହିଥିଲା ବେଳେ ଜିଲାର ବିଭିନ୍ନ ଅଞ୍ଚଳରୁ ଟ୍ରକ୍ ଯୋଗେ ଆଖୁ କାରଖାନାକୁ ଆସୁଛି। ମଙ୍ଗଳବାର ବିଳମ୍ବିତ ରାତିରେ ଆସିକା ବିଜୁ ପଟ୍ଟନାୟକ ଛକଠାରେ ମୁତୟନ ଥିବା ପୋଲିସ ସେହି ରାସ୍ତା ଦେଇ ଚିନିଶିଳ୍ପକୁ ଯାଉଥିବା ଏକ ଆଖୁ ବୋଝେଇ ଟ୍ରକର ଡ୍ରାଇଭର ଓ କର୍ମଚାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଆଖୁ ବୋଝେଇ ଟ୍ରକଚାଳକମାନେ ଟ୍ରକ୍ଗୁଡ଼ିକୁ କାରଖାନା ସମ୍ମୁଖରେ ରଖି ଭିତରକୁ ଯାଇ ନ ଥିଲେ। ଫଳରେ ମଙ୍ଗଳବାର ରାତିରୁ ବୁଧବାର ପୂର୍ବାହ୍ନ ପର୍ଯ୍ୟନ୍ତ ଚିନିଶିଳ୍ପର ଆଖୁପେଡ଼ା କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ବୁଧବାର ସକାଳେ ଚିନିଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ବେହେରା, ଆସିକା ଏସ୍ଡିପିଓ. ସୂର୍ଯ୍ୟମଣି ପ୍ରଧାନ, ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଟ୍ରକ୍ ମାଲିକ ସଂଘ ସଭାପତି ବିପିନ୍ ବିହାରୀ ପାଢ଼ୀ ପ୍ରମୁଖ ଟ୍ରକ୍ଚାଳକମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିବା ସହ ଚିନିଶିଳ୍ପର ଆଖୁପେଡ଼ା ସ୍ବାଭାବିକ ହୋଇଛି। ତେବେ ଏଭଳି ପରିସ୍ଥିତିରେ ଚିନିଶିଳ୍ପ ବିପୁଳ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା କରାଯାଇଛି।