ଆଖୁ ରସରେ ସ୍ନାନ କଲେ ଲଡୁବାବା

ନୟାଗଡ଼ ଅଫିସ,୧୩।୧୧-ନୟାଗଡ଼ ଜିଲା ଶରଣକୁଳ ଲଡୁବାବାଙ୍କ ପୀଠରେ ପାଞ୍ଚଦିନ ଧରି ଚାଲୁ ରହିଥିବା ପଞ୍ଚୁକ ଯାତ୍ରା ମଙ୍ଗଳବାର ଶେଷ ହୋଇଛି। ପବିତ୍ର ରାସପୂର୍ଣ୍ଣିମାରେ ଲଡ଼ୁବାବା କୈଳାସ ପର୍ବତ ଉପତ୍ାଟନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ସେହିଭଳି ନିଆରା ପରମ୍ପରାକୁ ଭିତ୍ତିକରି ପ୍ରଭୁଙ୍କୁ ଆଖୁରସରେ ସ୍ନାନ କରାଯାଇଥିଲା।
ଯେ ଲଡ଼ୁବାବା ହେଉଛନ୍ତି ହରିହର ସମ୍ବଳିତ ଛତ୍ରାକାରା ଫୁଟି ଲିଙ୍ଗ, ଯାହାଙ୍କର ଅର୍ଦ୍ଧାଙ୍ଗ ଶିବ ଓ ଅର୍ଦ୍ଧାଙ୍ଗ ବିଷ୍ଣୁ। ଏଠାରେ କେଉଁ ଆଦିମ କାଳରୁ ବିଷ୍ଣୁ ଓ ଶିବଙ୍କର ସମସ୍ତ ଯାନିଯାତ୍ରା ଓ ନୀତିକାନ୍ତି ପାଳନ କରାଯାଉଛି। ମଙ୍ଗଳବାର ଭୋର ୩ଟା ସମୟରେ ଠାକୁରଙ୍କ ନୀତିକାନ୍ତି ସମାପ୍ତ ପରେ ଠାକୁରଙ୍କୁ କ୍ଷୀର ଅଭିଷେକ କରାଯିବା ପରିବର୍ତ୍ତେ ଆଖୁରସରେ ଅଭିଷେକ କରାଯାଇଥିଲା । ପରେ ଫୁଲ ଚନ୍ଦନ ଓ ବେଲପତ୍ର ଚଢ଼ାଯାଇ ଠାକୁରଙ୍କୁ କୈଳାସ ପର୍ବତ ବେଶରେ ଭୂଷିତ କରାଯାଇଥିଲା। ମନ୍ଦିର ଚୂଳରେ ପ୍ରଶାସନ ପକ୍ଷରୁ ବାନା ବନ୍ଧନ କରାଯାଇଥିଲା।
କିମ୍ବଦନ୍ତୀ ଅନୁଯାୟୀ, ମହାପରାକ୍ରମୀ ରାବଣ ନିଜକୁ ଦିଗ୍‌ବିଜୟୀ ଓ ଅମର କରିବା ପାଇଁ ମହାପ୍ରଭୁ ଶିବଙ୍କୁ ଆରାଧନା କରିବା ସହିତ ତପସ୍ୟା କରିଥିଲା। ତପ ବଳରେ ପ୍ରଭୁଙ୍କୁ ସନ୍ତୁଷ୍ଟ କରି ନ ପାରିବାରୁ କ୍ରୋଧବଶତଃ କୈଳାସ ପର୍ବତକୁ ଉପତ୍ାଟନ କରିବା ପାଇଁ ତା’ର ପରାକ୍ରମ ଦେଖାଇଥିଲା। ମହାପ୍ରଭୁ ଶିବ ରାବଣର ଗର୍ବ ଖଣ୍ଡନ କରି ଏକ ନୂଆ ରୂପରେ ଆବର୍ଭୂତ ହୋଇଥିଲେ। ଏହି କିମ୍ବଦନ୍ତୀକୁ ବଜାୟ ରଖି ଲଡ଼ୁବାବାଙ୍କ ପୀଠରେ ପ୍ରତିବର୍ଷ ରାସପୂର୍ଣ୍ଣିମାରେ କୈଳାସ ପର୍ବତ ଉପତ୍ାଟନ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି। ସନ୍ଧ୍ୟାରେ ଠାକୁରକୁ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସନ୍ଧ୍ୟାରେ ପାର୍ଶ୍ୱ ଦେବତା ରୂପେ ପୂଜା ପାଉଥିବା ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ କାଞ୍ଚତ୍ ଅଭିଯାନ ବେଶ ଅନୁଷ୍ଠିତ ହୋଇଥିଲା।