ଆଗକୁ ବଢ଼ିବା ଆଶାରେ ଜୟନ୍ତ

ଆନନ୍ଦପୁର,୨୨।୮(ସନ୍ତୋଷ ରାଉତ)- ଆନନ୍ଦପୁରର ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ(ବି.ଏନ.ହାଇସ୍କୁଲ)ର ଦଶମ ଶ୍ରେଣୀର ଛାତ୍ର ଜୟନ୍ତ କୁମାର ଦତ୍ତ(୧୫)। ଦଶମରେ ପାଠ ପଢ଼ୁଥିଲେ ମଧ୍ୟ ଭବିଷ୍ୟତ ପାଇଁ ଏକ ଲକ୍ଷ୍ୟ ରଖିଛନ୍ତି। ସେ ଜଣେ ପାରା କମାଣ୍ଡର ହେବାକୁ ଆଶା ରଖିଥିବା ପ୍ରକାଶ କରିଛନ୍ତି। ଛାତ୍ର ଜୀବନରୁ ହିଁ ଭବିଷ୍ୟତକୁ ଲକ୍ଷ୍ୟ କରି ସେ ବିଦ୍ୟାଳୟ ସ୍ତରରେ ଏନ୍‌ସିସିରେ ଅଂଶଗ୍ରହଣ କରି ବିଭିନ୍ନ କ୍ୟାମ୍ପରେ ଯୋଗଦାନ କରିବା ସହିତ ଅନେକ କୃତିତ୍ୱ ହାସଲ କରିଛନ୍ତି। ଚଳିତ ଅଗଷ୍ଟ ୯ ତାରିଖରେ ୫ମ ବି.ଏନ.ଏନସିସି ସମ୍ବଲପୁର ଠାରେ ଅଂଶ ଗ୍ରହଣ କରି ଫାୟାରିଂରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ବେଷ୍ଟ ଫାୟାରର୍‌ ଭାବେ ପ୍ରମାଣ ପତ୍ର ହାସଲ କରିଛନ୍ତି।
ପୂର୍ବରୁ ସେ ୧୮।୬।୨୦୧୯ରୁ ୨୭।୭।୨୦୧୯ ପର୍ଯ୍ୟନ୍ତ ୭ମ ବିଏନ ଏନସିସି ଭଦ୍ରକରେ ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ୟାମ୍ପରେ ଯୋଗଦାନ କରି ପ୍ରମାଣ ପତ୍ର ହାସଲ କରିବା ସହ ଜୁଲାଇ ମାସ ୨୧ରୁ ୩୦ ପର୍ଯ୍ୟନ୍ତ ଅନୁଷ୍ଠିତ କ୍ୟାମ୍ପରେ ଯୋଗଦାନ କରି ପ୍ରମାଣ ପତ୍ର ହାସଲ କରିଛନ୍ତି। ଢେଙ୍କାନାଳ ଠାରେ ଅନୁଷ୍ଠିତ ହୋଇଥିବା ଜୁଲାଇ ୧ରୁ ଜୁଲାଇ ୧୦ ପର୍ଯ୍ୟନ୍ତ କ୍ୟାମ୍ପରେ ଯୋଗଦେଇ ବେଷ୍ଟ ଫାୟାରର୍‌ ପ୍ରମାଣ ପତ୍ର ମଧ୍ୟ ହାସଲ କରିଛନ୍ତି। ଆନନ୍ଦପୁର ବିଏନ ହାସ୍କୁଲର ଏନସିସି ଅଫିସର ସୁବାସ ପଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜୟନ୍ତ ଏନ୍‌ସିସିରେ ପଦାର୍ପଣ କରି ସଫଳତାର ଉଚ୍ଚ ସୋପାନରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛନ୍ତି। ତେବେ ଏନସିସି ଶିକ୍ଷକ ପଣ୍ଡା ଜୟନ୍ତଙ୍କୁ ଏନସିସି କ୍ଷେତ୍ରରେ ଅଗ୍ରଗତି ପାଇଁ ଯଥା ସମ୍ଭବ ଉଦ୍ୟମ ମଧ୍ୟ କରୁଛନ୍ତି। ଜୟନ୍ତଙ୍କ ଘର ଯାଜପୁର ଜିଲା ଅଞ୍ଚଳର ହୋଇଥିବାବେଳେ ବାପା ବିଜୟ କୁମାର ଦତ୍ତ ଏକ କମ୍ପାନୀରେ ଚାକିରି କରି ପରିବାର ପ୍ରତିପୋଷଣ କରିଥାନ୍ତି। ମା’ ଅନ୍ନପୂର୍ଣ୍ଣା ଜଣେ ସୁଗୃହିଣୀ ଥିବାବେଳେ ଜୟନ୍ତ ପିଲାଦିନରୁ ଆନନ୍ଦପୁର ମାଉସୀ ଘରେ ରହି ପାଠପଢା କାର୍ଯ୍ୟ କରୁଛନ୍ତି।