ଆଗାମୀ କିଛି ସପ୍ତାହ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ କରୋନା ଜନିତ ମୁତ୍ୟୁହାର ବହୁ କମ୍‌ ରହିଛି। ଏହାକୁ ଆହୁରି କମ୍‌ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ କୋଭିଡ୍‌ ମ୍ୟାନେଜ୍‌ମେଣ୍ଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗଦେଇ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଉଦ୍‌ବୋଧନ ଦେଇଛନ୍ତି। ଓଡ଼ିଶାରେ କରୋନା ମୃତ୍ୟୁହାର ସମଗ୍ର ଦେଶରେ ସର୍ବନିମ୍ନ। ତେଣୁ ଏଥିପାଇଁ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନେ କେବଳ ଆପଣଙ୍କ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହନ୍ତି, ସମଗ୍ର ରାଜ୍ୟବାସୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ମୌସୁମୀ ଋତୁରେ ବିଭିନ୍ନ ସଂକ୍ରାମକ ରୋଗ ହୋଇଥାଏ। ତେଣୁ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ଆଗାମୀ କିଛି ସପ୍ତାହ ଆମ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଭାଗ ସମଗ୍ର ରାଜ୍ୟର ଘରକୁ ଘର ବୁଲି କରୋନା ପରିସ୍ଥିତି ପର୍ଯ୍ୟବେକ୍ଷଣ କରିବା ସହିତ ଗୁରୁତର ରୋଗୀ, ଯକ୍ଷ୍ମା, ମ୍ୟାଲେରିଆ, ଡାଇରିଆ ଆଦି ରୋଗ ସମ୍ପର୍କରେ ଅନୁଧ୍ୟାନ କରିବା ପାଇଁ ସମନ୍ବିତ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଥିଲେ, ଏହି ଲମ୍ବା ଯୁଦ୍ଧରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନେ ହିଁ ଲୋକଙ୍କ ପ୍ରକୃତ ଶକ୍ତି। ସେମାନଙ୍କ ଟିମ୍‌ର ନିରାପତ୍ତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆମ ସମସ୍ତଙ୍କ ମିଳିତ ଉଦ୍ୟମ ଦ୍ୱାରା ହିଁ କରୋନା ପରି ମହାମାରୀର ମୁକାବିଲା କରାଯାଇପାରିବ ଏଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଏହି କର୍ମଶାଳାରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର ଏବଂ ସ୍ବାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Share