ଆଗାମୀ ପୌର ନିର୍ବାଚନରେ ଅଂଶଗ୍ରହଣ କରିବ ଏଏପି

ଭୁବନେଶ୍ୱର,୯ା୧୨(ବ୍ୟୁରୋ): ରାଜ୍ୟ ତଥା ଦେଶର ଜନତାଙ୍କୁ ସର୍ବନିମ୍ନ ମୌଳିକ ଆବଶ୍ୟକତା ଯୋଗାଇଦେବା ଯେ କୌଣସି ସରକାରର ମୂଳ ଦାୟିତ୍ୱ। ହେଲେ ଏହି ମୂଳ ଦାୟିତ୍ୱକୁ ପୂରଣ କରିବା ଦୂରର କଥା, ରାଜ୍ୟର ଅନ୍ୟାନ୍ୟ ଭିତ୍ତିଭୂମି ଏବଂ ଆଇନଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ହୋଇପଡିଛି। ତେଣୁ ଓଡ଼ିଶାରେ ଏସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ଆମ ଆଦମୀ ପାର୍ଟି(ଏଏପି)ର ଆବଶ୍ୟକତା ରହିଥିବା ଦଳର ରାଜ୍ୟ ସଂଯୋଜକ ନିଶିକାନ୍ତ ମହାପାତ୍ର କହିଛନ୍ତି। ରାଜଧାନୀସ୍ଥିତ ଏକ ଘରୋଇ ହୋଟେଲରେ ରବିବାର ଦଳର ଓଡ଼ିଶା କର୍ମକର୍ତ୍ତାଙ୍କ କାର୍ଯ୍ୟକାରିଣୀରେ ନିଶିକାନ୍ତ ଏହା କହିଛନ୍ତି।
ଏଏପି କେବଳ ପ୍ରତିଶ୍ରୁତି ଦେଇ ନ ଥାଏ। ଜନଗଣଙ୍କ ମୌଳିକ ଆବଶ୍ୟକତା ନେଇ କରିଥିବା ନିର୍ବାଚନୀ ଇସ୍ତାହାରକୁ ସତରେ ପରିଣତ କରିଥାଏ। ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଉପଭୋକ୍ତାଙ୍କୁ ହାତ ପାହାନ୍ତାରେ ସୁବିଧା ଯୋଗାଇବାରେ ଦିଲ୍ଲୀର ଏଏପି ସରକାର ଉଦାହରଣ ସୃଷ୍ଟି କରିଥିବା ରାଜ୍ୟ ସଂଯୋଜକଙ୍କ ପକ୍ଷରୁ କୁହାଯାଇଛି। ଦଳ ଗତ ସାଧାରଣ ନିର୍ବାଚନରେ ଏକ ଲୋକ ସଭା ଏବଂ ୧୫ ବିଧାନସଭା ନିର୍ବାଚନରେ ଲଢିଥିଲା। ଆଗାମୀ ଦିନରେ ପୌର ନିର୍ବାଚନ ଥିବାରୁ ସଙ୍ଗଠନ ଥିବା ସ୍ଥାନରେ ଏଏପି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଜଣାପଡିଛି। ଦଳ ପକ୍ଷରୁ ସୁନ୍ଦରଗଡ଼, ରେଢ଼ାଖୋଲ, ରାୟଗଡ଼ା, ଗଜପତି, ଭୁବନେଶ୍ୱର, କଟକ, ମୟୂରଭଞ୍ଜ, ବଲାଙ୍ଗୀର ଏବଂ ନୂଆପଡ଼ାରେ ସ୍ଥାନୀୟ ନିିର୍ବାଚନରେ ପ୍ରାର୍ଥୀ ସମ୍ଭାବନା ରହିଛି। କାର୍ଯ୍ୟକାରିଣୀରେ ଏଏପି ପକ୍ଷରୁ ୪ଟି ପ୍ରସ୍ତାବ ଗୃହୀତ କରାଯାଇଛି। ପ୍ରଥମତଃ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ରାଜ୍ୟ ସରକାର ସ୍ବାମୀନାଥନ କମିଟି ରିପୋର୍ଟ ଆଧାରରେ କାର୍ଯ୍ୟ କରିବାକୁ କୁହାଯାଇଛି। ଧାନ ସଂଗ୍ରହ, ଅଣଜଳସେଚିତ ଜମିକୁ ଜଳ ଯୋଗାଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ପିଏମ୍‌-କିଷାନ ଏବଂ କାଳିଆ ଯୋଜନା ଦ୍ୱାରା ଚାଷୀ ୧୬ ହଜାର ଟଙ୍କା ପାଇବା କଥା, ହେଲେ ତାହା ୧୦ ହଜାରକୁ ଖସି ଆସିଛି। ଏହାକୁ ନେଇ ଏଏପି ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ସେହିପରି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତିର ଉନ୍ନତି ଆଣିବା ଉପରେ ଗୁରୁତ୍ୱ ଦିଆଯାଇଛି। ଦିଲ୍ଲୀ ସରକାର ନିକଟରେ ୭୬୦୦ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବା ସହ ୫୦ ନୂଆ ସ୍କୁଲ ଖୋଲିଛନ୍ତି, ଓଡ଼ିଶା ସରକାର ଅନୁରୂପ ପଦକ୍ଷେପ ନିଅନ୍ତୁ ବୋଲି ଦାବି କରାଯାଇଛି। ସେହିପରି ଆସନ୍ତା ପୌରାଞ୍ଚଳ ନିର୍ବାଚନରେ ଦଳ ଅଂଶଗ୍ରହଣ ନେଇ ପ୍ରସ୍ତାବ ଗୃହୀତ ହୋଇଛି।

Share