Categories: ଖେଳ

ଆଗାମୀ ୪ ସପ୍ତାହ ମଧ୍ୟରେ ନିଷ୍ପତ୍ତି ନିଆଯିବ: ଆଇଓସି

ମଣ୍ଟ୍ରିଲ,୨୪।୩(ଏଏଫ୍‌ପି)- କୋଭିଡ-୧୯ ଏବେ ବିଶ୍ୱ ମହାମାରୀରେ ପରିଣତ ହୋଇଛି। ବିଶ୍ୱର ଶ୍ରେଷ୍ଠ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ସରୁ କାନାଡ଼ା ଓ ଅଷ୍ଟ୍ରେଲିଆ ଭଳି ଦେଶ ଓହରିଯାଇଛନ୍ତି। ଫଳରେ ନିର୍ଦ୍ଧାରିତ ସମୟରେ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କରୋନା ଭାଇରସ୍‌ ଏବେ ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିବାରୁ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ଆଥଲେଟ୍‌ମାନଙ୍କୁ ଟୋକିଓ ପଠାଇବୁ ନାହିଁ ବୋଲି କାନାଡିଆନ ଅଲିମ୍ପିକ୍ସ ଅଧିକାରୀମାନେ କହିଛନ୍ତି। କାନାଡିଆନ ଅଲିମ୍ପିକ୍‌ କମିଟି (ସିଓସି), କାନାଡିଆନ ପାରାଅଲିମ୍ପିକ କମିଟି (ସିପିସି) ଅଲିମ୍ପିକ୍ସକୁ ଆଥଲେଟ ନ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶର ଆଥଲେଟ୍ସ କମିଶନ, ନ୍ୟାଶନାଲ ସ୍ପୋଟର୍‌ସ ଅର୍ଗାନାଇଜେଶନ୍ସ ଓ କାନାଡ଼ା ସରକାର ଏହି ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏହି ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟକର। ତେବେ ଆମ ପାଖରେ ଅନ୍ୟ ବିକଳ୍ପ ନାହିଁ ବୋଲି ରବିବାର ସିଓସି ତରଫରୁ କୁହାଯାଇଛି। ଫଳରେ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ଉପରେ ଚାପ ବୃଦ୍ଧି ପାଇଛି।
ଆଗାମୀ ୪ ସପ୍ତାହ ମଧ୍ୟରେ ଅଲିମ୍ପିକ୍ସ ଆୟୋଜନ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ଆଇଓସି ଅଧ୍ୟକ୍ଷ ସେବାଷ୍ଟିଆନ କୋଏ କହିଛନ୍ତି।
ଏ ନେଇ ଆମେ ଅଧିକ ସମୟ ଅପେକ୍ଷା କରିପାରିବୁ ନାହିଁ ବୋଲି କାନାଡିଆନ ଅଲିମ୍ପିକ ଓ ପାରାଅଲିମ୍ପିକ କର୍ତ୍ତୃପକ୍ଷ କହିଛନ୍ତି। ସ୍ବାସ୍ଥ୍ୟ ଓ ନିରାପତ୍ତାଠାରୁ କୌଣସି ଜିନିଷ ବଡ଼ ନୁହଁ ବୋଲି ସିଓସି ଓ ସିପିସି ତରଫରୁ କୁହାଯାଇଛି। ଅଲିମ୍ପିକକୁ ସ୍ଥଗିତ ରଖିବାକୁ ଆଇଓସି ନିଷ୍ପତ୍ତି ନେବ ବୋଲି କାନାଡ଼ା ଆଶାବାଦୀ ଥିବା କହିଛି।

Share