ଆଗୁଆ ଦରମା ଦେଲା ନର୍ଭେରାମ

ଓଡ଼ାପଡ଼ା, ୨୭।୩(ଡି.ଏନ.ଏ):ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ାସ୍ଥିତ ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କମ୍ପାନୀ ପକ୍ଷରୁ କୋଭିଡ୍‌-୧୯କୁ ନଜରରେ ରଖି ବିଭିନ୍ନ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇଛି। କମ୍ପାନୀ ପକ୍ଷରୁ ସମସ୍ତ ଶ୍ରମିକ ଏବଂ କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମା ଆଗୁଆ ପ୍ରଦାନ କରାଯାଇଛି। କମ୍ପାନୀ ପରିସରରେ ସଚେତନତାମୂଳକ ପୋଷ୍ଟର ଲଗାଯିବା ସହ ମୁଖ୍ୟ ଫାଟକ ନିକଟରେ ହାତ ଧୋଇବା ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯାଉଛି। ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅଧୀନରେ କମ୍ପାନୀ ପାର୍ଶ୍ୱବର୍ତ୍ତୀ ଗୁଣ୍ଡିଚାପଡ଼ା, ବାରଦା ପଞ୍ଚାୟତର ସରପଞ୍ଚଙ୍କ ମାଧ୍ୟମରେ ସମସ୍ତ ପରିବାରକୁ ସାବୁନ ବଣ୍ଟନ କରାଯାଇଛି। କେତେଜଣ ଗ୍ରାମବାସୀଙ୍କୁ ସାମାଜିକ ଦୂରତା ବଜାୟ ରଖି ସାବୁନ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ କାରଖାନା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମିତ ଗୁପ୍ତା କୁହନ୍ତି, କମ୍ପାନୀ ପକ୍ଷରୁ ସରକାରଙ୍କ ସମସ୍ତ ନିର୍ଦ୍ଦେଶନାମାକୁ ପାଳନ କରାଯାଉଛି। ଶ୍ରମିକ, କର୍ମଚାରୀ ଏବଂ ପାରିପାର୍ଶ୍ୱିକ ଅଞ୍ଚଳର ଗ୍ରାମବାସୀଙ୍କ ପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ତ୍ୱରାନ୍ବିତ କରାଯିବା ସହିତ ଜିଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଯାଇଛି।