Categories: ଖେଳ

ଆଗୁଆ ସିରିଜ କବ୍‌ଜା କଲା ପାକିସ୍ତାନ

ଲାହୋର, ୨୬।୧ (ଏଏଫ୍‌ପି)- ଅଧିନାୟକ ବାବର ଆଜାମ ଓ ଭେଟେରାନ ବ୍ୟାଟ୍ସମ୍ୟାନ ମହମ୍ମଦ ହାଫିଜଙ୍କ ଅପରାଜିତ ଅର୍ଦ୍ଧଶତକୀୟ ଇନିଂସ ବଳରେ ଶନିବାର ଏଠାରେ ଖେଳାଯାଇଥିବା ୨ୟ ଟି୨୦ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ୯ ଉଇକେଟ୍‌ରେ ବାଂଲାଦେଶକୁ ପରାସ୍ତ କରିଛି। ଭ୍ରମଣକାରୀ ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୩୭ ରନର ଛୋଟିଆ ଲକ୍ଷ୍ୟକୁ ପାକିସ୍ତାନ ୧୬.୪ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ହାସଲ କରିନେଇଛି। ବାବର ୪୪ ବଲରୁ ୬୬ ଓ ହାଫିଜ ୪୯ ବଲରୁ ୬୭ ରନ କରି ଅପରାଜିତ ରହିଥିଲେ। ବାବରଙ୍କ ଏହା ତ୍ରୟୋଦଶ ଟି୨୦ ଅର୍ଦ୍ଧଶତକ। ସ୍ଥାନୀୟ ଗଦାଫି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୬ ଉଇକେଟ୍‌ ହରାଇ ୧୩୬ ରନ କରିଥିଲା। ଅଭିଜ୍ଞ ଓପନର୍‌ ତାମିମ ଇକ୍‌ବାଲ ସର୍ବାଧିକ ୬୫ (୫୩ ବଲ, ୭ ଚୌକା, ୧ ଛକା) ରନ କରିଥିଲେ। ପୂର୍ବରୁ ପ୍ରଥମ ଟି୨୦ ମ୍ୟାଚ୍‌କୁ ୫ ଉଇକେଟ୍‌ରେ ଜିତିଥିବା ପାକିସ୍ତାନ ଏଥିସହ ୩ ମ୍ୟାଚ୍‌ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବ୍‌ଜା କରିନେଇଛି। ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ସୋମବାର ଏଠାରେ ଖେଳାଯିବ।

Share