Categories: ଜାତୀୟ

ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ

ନୂଆଦିଲ୍ଲୀ,୨୭ା୨: ଏଣିକି କେବଳ ସମ୍ପର୍କୀୟା ନୁହନ୍ତି, ଯେକୌଣସି ଆଗ୍ରହୀ ମହିଳା ସରୋଗେଟ ମାଆ ହୋଇପାରିବେ। କେନ୍ଦ୍ର କ୍ୟାବିନେଟ ବୁଧବାର ସରୋଗେସୀ(ରେଗୁଲେଶନ) ବିଲ୍‌, ୨୦୨୦କୁ ଅନୁମୋଦନ କରିଛି। ଏହି ସେବାକୁ ନିୟନ୍ତ୍ରଣ କରିବା ଲାଗି ଅଣାଯାଇଥିବା ବିଧେୟକ ଅନୁଯାୟୀ ଆଗ୍ରହୀ ବିଧବା ଓ ଛାଡ଼ପତ୍ର ପାଇଥିବା ମହିଳା ସରୋଗେଟ ମାଆ ହୋଇପାରିବେ। ଭୂପେନ୍ଦର ଯାଦବଙ୍କ ନେତୃତ୍ୱରେ ଗଠିତ ରାଜ୍ୟସଭା ଚୟନ କମିଟି ପ୍ରସ୍ତାବିତ ବିଧେୟକକୁ ସମୀକ୍ଷା କରିବା ପରେ ଅନୁମୋଦନ କରିଥିଲା। ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ଉକ୍ତ ବିଲ୍‌ ପାର୍ଲାମେଣ୍ଟରେ ଆଗତ ହେବା ଆଶା କରାଯାଉଛି। କେବଳ ସମ୍ପର୍କୀୟା ମହିଳା ସରୋଗେଟ ମାଆ ହୋଇପାରିବେ ବୋଲି ପୂର୍ବରୁ ଯେଉଁ ବ୍ୟବସ୍ଥା ଥିଲା ତାକୁ ହଟାଇଦିଆଯାଇଛି। ଯେକେହି ମହିଳା ଚାହିଁଲେ ସରୋଗେଟ ମାଆ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଗଣମାଧ୍ୟମକୁ କହିଛନ୍ତି। ସରୋଗେଟ ମାଆଙ୍କ ପାଇଁ ବୀମା ସମୟସୀମା ୧୬ ମାସରୁ ବୃଦ୍ଧି କରାଯାଇ ୩୬ ମାସ କରାଯାଇଛି। ଚିକିତ୍ସା ଦୃଷ୍ଟିରୁ ଯେଉଁ ମହିଳାଙ୍କ ପାଇଁ ସରୋଗେସୀର ଆବଶ୍ୟକତା ରହିଛି କେବଳ ସେହିମାନଙ୍କୁ ଏହି ସୁବିଧା ଯୋଗାଇଦିଆଯିବ।

Share