ଆଗ ଥଇଥାନ, ପରେ ଉଚ୍ଛେଦ

ଚାନ୍ଦବାଲି,୨୦।୩(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ସନ୍ନିକଟ ବୈତରଣୀ ନଦୀକଡ଼ରୁ ପୋଲିସ ଓ ପ୍ରଶାସନ ଉପସ୍ଥିତିରେ ଉଠାଦୋକାନଗୁଡ଼ିକୁ ଗୁରୁବାର ଉଚ୍ଛେଦ କରାଯାଇଛି। ପ୍ରଥମ ଦିନରେ କ୍ରସ୍‌ଷ୍ଟାଣ୍ଡ ରୋଡ୍‌ର ବଡ଼ ବଜାରଠାରୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଜବରଦଖଲମୁକ୍ତ କରାଯାଇଛି। ମାତ୍ର ଆଗ ଥଇଥାନ ଓ ପରେ ଉଚ୍ଛେଦ ଦାବି କରି ଉଠାଦୋକାନୀମାନେ ଶୁକ୍ରବାର ଚାନ୍ଦବାଲି ତହସିଲ ଅଫିସ ପରିସରରେ ହୋହଲ୍ଲା କରିଥିଲେ। ସେମାନେ ଏ ନେଇ ଏକ ଦାବିପତ୍ର ତହସିଲଦାରଙ୍କୁ ପ୍ରଦାନ କରିଛନ୍ତି। ଅନ୍ୟ ଦୋକାନୀଙ୍କୁ ଉଚ୍ଛେଦ ବନ୍ଦ କରିବା, ଉଚ୍ଛେଦ ଦୋକାନୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ସ୍ବରୂପ ଅନ୍ୟତ୍ର ଥଇଥାନ କରାଯାଉ ବୋଲି ସେମାନେ ଦାବି କରିଛନ୍ତି। ସପ୍ତାହକ ମଧ୍ୟରେ ବିସ୍ଥାପିତ ଦୋକାନୀଙ୍କୁ ଥଇଥାନ କରା ନ ଗଲେ ସେମାନେ ପୁନର୍ବାର ନଦୀକୂଳରେ ଦୋକାନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଥିଲେ। ତହସିଲ ନୁହେଁ ଚାନ୍ଦବାଲି ଏନ୍‌ଏସି ପକ୍ଷରୁ ଏହି ଜବରଦଖଲ ଉଚ୍ଛେଦ କରାଯାଉଥିବା ତହସିଲଦାର ସୁଶାନ୍ତ କୁମାର ସୂତାର କହିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଲୋକଙ୍କ ବିରୋଧ ଯୋଗୁ ଶୁକ୍ରବାର ଉଚ୍ଛେଦ କାମ ବନ୍ଦ ରହିଥିଲା। ଏନ୍‌ଏସି ପକ୍ଷରୁ ମାଇକ୍‌ରେ ପ୍ରଚାର କରାଯାଇ ଦୋକାନୀମାନଙ୍କୁ ଆଉ ୩ ଦିନ ସମୟ ଦିଆଯାଇଛି। ଏହାମଧ୍ୟରେ ଉଠାଦୋକାନୀମାନେ ନିଜ ଦୋକାନକୁ ସ୍ଥାନାନ୍ତର ନ କଲେ ଏନ୍‌ଏସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସୂଚନା ଦିଆଯାଇଛି।