କୃଷ୍ଣପ୍ରିୟା ନାଏକ ଓରଫ୍ କ୍ରିଷ୍ଣାଙ୍କର ଯାତ୍ରା ଜୀବନ ଆରମ୍ଭ ହୋଇଥିଲା ବେଶ୍ ଆକସ୍ମିକ ଭାବରେ। ତାଙ୍କର ଜନ୍ମ ଜଗତ୍ସିଂହପୁର ଜିଲାର ତାରପୁର ଠାରେ। ତାରପୁର ହେଉଛି ଏକ କଳାର ଅଞ୍ଚଳ। ତେଣୁ କୃଷ୍ଣପ୍ରିୟାଙ୍କ ଭିତରେ ଜନ୍ମରୁ କଳା ରହିଥିଲା। ସେ ସ୍କୁଲ୍ ତଥା କଲେଜରେ ଡ୍ରାମା କରୁଥିଲେ। ଅଭିନୟ କରିବାର ଅଭିଜ୍ଞତା ଅଳ୍ପବହୁତେ ରହିଥିଲା। ତେବେ ପେସାଦାର ଯାତ୍ରା କ’ଣ? ସେଠାରେ କ’ଣ କରିବାକୁ ହୁଏ ଇତ୍ୟାଦି ବିଷୟ ତାଙ୍କୁ ଜଣା ନ ଥିଲା। ଦିନେ ଦିବଂଗତ ନାଟ୍ୟକାର ଅନନ୍ତ ଓଝାଙ୍କ ସହିତ ଭେଟହୁଏ କୃଷ୍ଣପ୍ରିୟାଙ୍କର। ଅନନ୍ତ ଓଝା ତାଙ୍କ ଭିତରେ ଥିବା କଳାକାରଟିକୁ ସମ୍ଭବତଃ ଦେଖିପାରିଲେ। ଆଉ ତାଙ୍କୁ ପ୍ରସ୍ତାବ ଦେଲେ ଯାତ୍ରାକୁ ଆସିବା ପାଇଁ। ବାସ୍ତବରେ କୃଷ୍ଣପ୍ରିୟାଙ୍କର ପରିବାରର ଆର୍ଥିକ ସ୍ଥିତି ସେତେଟା ଭଲ ନ ଥିଲା। ତାଙ୍କର କଉଠି ନା କଉଠି ଚାକିରି କରିବା ନିତାନ୍ତ ଦରକାର ଥିଲା। ପେସାଦାର ଯାତ୍ରାପାର୍ଟିର ଅଭିଜ୍ଞତା ନ ଥିଲେ ବି ସେ ରାଜି ହୋଇଗଲେ ଯାତ୍ରାକୁ ଆସିବା ପାଇଁ। ନିଜେ ଅନନ୍ତ ଓଝା ହିଁ ତାରପୁର ଯାତ୍ରାପାର୍ଟିରେ ତାଙ୍କ ପାଇଁ ବୁଝାବୁଝି କରିଦେଲେ। ତାରପୁର ଅପେରାରୁ ଆରମ୍ଭ ହେଲା କୃଷ୍ଣପ୍ରିୟାଙ୍କ ପେସାଦାର ଯାତ୍ରା ଜୀବନ। ତାଙ୍କ ଭିତରେ ଅଭିନୟର ଗୁଣ ଥିଲା ପୁଣି ଆଙ୍କରିଂ କରିବାର ମଧ୍ୟ ଦକ୍ଷତା ରହିଥିଲା। ତାରପୁର ଅପେରାରେ ସେହିବର୍ଷ ଅନନ୍ତ ଓଝା ଲେଖୁଥାନ୍ତି ନାଟକ ‘ବାଉଁଶରାଣୀ’। ସେହି ନାଟକରେ ସେ ଅଭିନୟ କଲେ। ଆଉ ଆଙ୍କରିଂ ବି କଲେ। ପରେପରେ କୋଣାର୍କ, ବାଘାଯତୀନ ଲୋକନାଟ୍ୟ, କଳିଙ୍ଗ, ଓମ୍ ଶ୍ରୀ, ତୁଳସୀ, ବିଶ୍ୱଦରବାର, ତ୍ରିନାଥ ଆଦି ଯାତ୍ରାନୁଷ୍ଠାନକୁ ଆସି ନିଜ ଦକ୍ଷତା ଦେଖାଇଲେ। ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବାଉଁଶ ରାଣୀ, ବାଟ ଛାଡ଼ ଷଣ୍ଢ ଆସୁଛି, ଜେଲ୍ ଟାଇଗର, ନ କହିଲେ କୁଳ ଭାସି ଯାଉଛି, କହିବି କାହାକୁ ଶୁଣିବ କିଏ, କଉଡ଼ି ଖେଳ, ଷ୍ଟେଶନ୍ କୁଲି, ଏଇତ ଦୁନିଆ, ରିକ୍ସା ବାଲା, ଗ୍ୟାଙ୍ଗଷ୍ଟର, ଆଜି କଥା କାଲିକି ନାହିଁ, ପାପ ହାଟରେ ମୁଁ ପୁଣ୍ୟ ଖୋଜୁଛି, ମାଟି ଅଗଣାର ବୋହୂ ଇତ୍ୟାଦି। କୃଷ୍ଣପ୍ରିୟାଙ୍କ ଜୀବନ ଏକ ସଂଘର୍ଷ। ସ୍ବାମୀ ଶଶିକାନ୍ତ ନାଏକଙ୍କର ଅକାଳ ବିୟୋଗ ଘଟି ସାରିଛି। କୁନି ଝିଅ ଶୁଭଲଗ୍ନାଙ୍କୁୁ ମଣିଷ କରିବା ପାଇଁ ଏକାକୀ ଅଣ୍ଟା ଭିଡ଼ିଛନ୍ତି କୃଷ୍ଣପ୍ରିୟା। ଯାତ୍ରା ତାଙ୍କୁ ସଂଘର୍ଷକୁ ସାମ୍ନା କରିବାର ବାଟ ଦେଖାଉଛି ବୋଲି କହନ୍ତି ଉଭୟ ନେଗେଟିଭ୍ ଓ ପଜିଟିଭ୍ ଭୂମିକାରେ ଅଭିନୟ କରିପାରୁଥିବା ଏହି ଅଭିନେତ୍ରୀ।