Categories: ଗଞ୍ଜାମ

ଆଙ୍କୋରଡ଼ା ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୧.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ଜବତ, ସରପଞ୍ଚ ଅଟକ

ଦିଗପହଣ୍ଡି,୧୧ା୭(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ. ୱାର୍ଡ ନୀଳାଦ୍ରି ବିହାରରେ ରହୁଥିବା ବିଜେଡି ନେତା ତଥା ଆଙ୍କୋରଡା ସରପଞ୍ଚ ଉସନ୍ତ କୁମାର ସାହୁଙ୍କ ୨ ମହଲା ବିଶିଷ୍ଟ ବାସଭବନରେ ବୁଧବାର ଭୋର ପ୍ରାୟ ୫ଟାରେ ବ୍ରହ୍ମପୁର ଭିଜିଲାନ୍ସ ଟିମ ପକ୍ଷରୁ ଚଢ଼ାଉ କରାଯାଇଛି। ତାଙ୍କ ବାସଭବନରୁ ଏକ ବନ୍ଧୁକ, ୬ଟି ଗୁଳି, ସୁନା, ରୁପା ଅଳଙ୍କାର, ୪ଟି ବାସଗୃହ, ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ ୩ ମହଲା ବିଶିଷ୍ଟ ନିର୍ମାଣାଧୀନ କୋଠା, ୧୫ ଲକ୍ଷ ଟଙ୍କା ମୂଲ୍ୟର ୧୪ଟି ପ୍ଲଟ, ୩୦ ଲକ୍ଷ ଟଙ୍କାର ୨ଟି ୪ ଚକିଆ ଗାଡ଼ି, ୨ଟି ବାଇକ୍‌, ଏଲ୍‌ଆଇସି ଓ ବିଭିନ୍ନ ବ୍ୟାଙ୍କରେ ଥିବା ଫିକ୍ସଡ ଡିପୋଜିଟ ନଥିପତ୍ର, ନଗଦ ୪୪ ହଜାର ୬୦୦ ଟଙ୍କା ଆଦି ପ୍ରାୟ ୧.୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ମାୟାଧର ସ୍ବାଇଁ କହିଛନ୍ତି ।
ସରପଞ୍ଚ ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପକ୍ଷରୁ ଜାରି କରାଯାଇଥିବା ତଲାସି ୱାରେଣ୍ଟକୁ ଭିତ୍ତିକରି ନଂ.୧/୧୯ରେ ମାମଲା ରୁଜୁ କରି ଏହି ଚଢ଼ାଉ କରାଯାଇଥିବା ବେଳେ ସରପଞ୍ଚଙ୍କୁ ଅଟକ ରଖାଯାଇଥିବା ଏସ୍‌ପି କହିଛନ୍ତି। ବ୍ରହ୍ମପୁର ଭିଜିଲାନ୍ସ ଡିଏସ୍‌ପି ଏସ୍‌ଏନ ପାଣିଗ୍ରାହୀ, ଇନ୍ସପେକ୍ଟର କୁମୁଦିନି ସାହୁ, ସୋମନାଥ ବାରିକ ପ୍ରମୁଖ ସରପଞ୍ଚଙ୍କ ନବରଙ୍ଗପୁର ଗ୍ରାମର ପୈତୃକ ଘର, ରାଜପୁରରେ ଥିବା ୧ ମହଲା ଘର, ଆଙ୍କୋରଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଆଦି ୬ ଜାଗାରେ ଚଢ଼ାଉ କରିଥିଲେ। ୨୦୦୭ରୁ ୨୦୧୨ ସମିତିସଭ୍ୟ ଥିବା ଉଷାନ୍ତଙ୍କ ସ୍ତ୍ରୀ ସୁକାନ୍ତ ସାହୁ ୨୦୧୨ରୁ ୨୦୧୭ ସରପଞ୍ଚ ଥିଲେ। ୨୦୧୭ରେ ଉଷାନ୍ତ ପୁଣିଥରେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ଦିଗପହଣ୍ଡି ନିକଟ ନିମପଲ୍ଲୀ ସରକାରୀ ଦେଶୀମଦ ଭାଟିରେ ସେ ପ୍ରମୁଖ ଅଂଶୀଦାର ଥିବା ଭିଜିଲାନ୍ସ ଟିମର ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।