ଆଚରଣବିଧିର ପ୍ରହସନ

ତୁଷାରକାନ୍ତ
୧୯୭୧ ମସିହା ସଂସଦୀୟ ନିର୍ବାଚନରେ ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ଆସନରୁ ଇନ୍ଦିରା ଗାନ୍ଧୀ ବହୁ ବ୍ୟବଧାନରେ ସମାଜବାଦୀ ନେତା ରାଜନାରାୟଣଙ୍କୁ ହରାଇବା ପରେ ରାଜନାରାୟଣଜୀ ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟରେ ମକଦ୍ଦମା କରି ପ୍ରାର୍ଥନା କରିଥିଲେ ଯେ, ‘ଇନ୍ଦିରା ଗାନ୍ଧୀ ନିର୍ବାଚନରେ ସରକାରୀ କଳର ଅପବ୍ୟବହାର କରି ଜିତିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ’। ସେହି ସରକାରୀ କଳ ଅପବ୍ୟବହାର ‘ଭୋଟରଙ୍କୁ ଲାଞ୍ଚଦିଆ, ଅନ୍ୟାୟପଣିଆ ଆପଣେଇ ତଥା ଧର୍ମକୁ ବ୍ୟବହାର କରି ଭୋଟମାଗିବା’ ଉପରେ ପର୍ଯ୍ୟବସିତ ଥିବା ପ୍ରମାଣିତ ହୋଇ ନ ଥିଲା। ଏବର ନିର୍ବାଚନରେ ନିର୍ବାଚନୀ ଆଚରଣବିଧିର ଘୋର ଉଲ୍ଲଂଘନ ପରିପ୍ରେକ୍ଷୀରେ ସେତେବେଳେ ଯେଉଁ ସାମାନ୍ୟ ଉଲ୍ଲଂଘନଗୁଡ଼ିକ ପ୍ରମାଣିତ ହୋଇଥିଲା, ସେଗୁଡ଼ିକ ଥିଲା (୧) ସରକାରୀ ଚାକିରିଆ ୟଶପାଲ କପୁରଙ୍କ ଇସ୍ତଫା ରାଷ୍ଟ୍ରପତିଙ୍କ ଦ୍ୱାରା ଗୃହୀତ ହୋଇ ନ ଥିଲେ ମଧ୍ୟ ସେ ଇନ୍ଦିରା ଗାନ୍ଧୀଙ୍କ ପାଇଁ ନିର୍ବାଚନ କାମ କରିବା, (୨) ପୋଲିସ ଦ୍ୱାରା ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନୀ ପ୍ରଚାରସଭାର ପେଣ୍ଡାଲ ତିଆରି ହେବା ଓ (୩) ସେଠାକୁ ବିଦ୍ୟୁତ୍‌ ସଂଯୋଗ କରାଯିବା। ଏହି ତିନୋଟି ବେଆଇନ କାମକୁ ଗ୍ରହଣ କରି ଆଲ୍ଲାହାବାଦ ଉଚ୍ଚନ୍ୟାୟାଳୟର ତତ୍କାଳୀନ ବିଚାରପତି ଜଗମୋହନଲାଲ ସିହ୍ନା ତା୧୨ା୦୬ା୧୯୭୫ରିଖରେ ଇନ୍ଦିରା ଗାନ୍ଧୀଙ୍କ ବିଜୟକୁ ଅସିଦ୍ଧ ଘୋଷଣା କରି ସେ ଛଅ ବର୍ଷ ପାଇଁ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଦଣ୍ଡାଦେଶ ଶୁଣାଇଥିଲେ। ଏପରି ଦଣ୍ଡାଦେଶକୁ ସେତେବେଳେ ‘ଜଣେ ପ୍ରଧାନମନ୍ତ୍ରୀ ଟ୍ରାଫିକ୍‌ ନିୟମ ଭଙ୍ଗକରି ପଦବୀରୁ ଗଲେ’ ରୂପକ କଟାକ୍ଷ କରାଯାଇଥିଲା। ତା’ପରେ ସର୍ବୋଚ୍ଚ ନ୍ୟାୟାଳୟରୁ ଇନ୍ଦିରା ଗାନ୍ଧୀ ଛାଡ଼ ପାଇବା, ଜରୁରିକାଳୀନ ପରିସ୍ଥିତି ଘୋଷଣା ହେବା ଇତ୍ୟାଦି ଇତିହାସର କଥା।
ଅଥଚ ୨୦୧୯ ମସିହା ନିର୍ବାଚନ ବେଳକୁ ଅବସ୍ଥା ସଙ୍ଗିନ। ୩୮ ବର୍ଷ ତଳର ଅସୁବିଧା ସୁଧୁରା ନ ଯାଇ ସରକାରୀ କଳକୁ ଖୋଲାଖୋଲି ଭାବେ ବ୍ୟବହାର କରାଯାଉଛି ଓ ନିର୍ବାଚନ କମିଶନର ମୁଖିଆମାନଙ୍କ ସମେତ ନ୍ୟାୟପାଳିକା ବି ଚୁପ୍‌, ଯଦିଓ ଅନେକ ଅତି ସାଧାରଣ କଥାରେ ନ୍ୟାୟପାଳିକା ନିଜଆଡ଼ୁ ହସ୍ତକ୍ଷେପ କରିଥାନ୍ତି।
ଇଣ୍ଟରନେଟ୍‌ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଏବର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ‘ନୀତି ଆୟୋଗ’କୁ ଇ-ମେଲ୍‌ କରାଯାଇ ବିଭିନ୍ନ ସରକାରୀ ତଥ୍ୟ ମଗାଯାଉଛି, ଯାହାକୁ ପ୍ରଧାନମନ୍ତ୍ରୀ ନିଜ ନିର୍ବାଚନୀ ଭାଷଣରେ ବ୍ୟବହାର କରୁଛନ୍ତି। ଇଣ୍ଟରନେଟ୍‌ରୁ ଉପଲବ୍ଧ ତଥ୍ୟ ଆଧାରରେ ସେଇ ବାବଦରେ କେତୋଟି ଉଦାହରଣ ନିମ୍ନରେ:
୧.‘ନୀତି ଆୟୋଗ’ ଗୋଟିଏ ଇ-ମେଲ ଜରିଆରେ କେନ୍ଦ୍ରଶାସିତ ଅଞ୍ଚଳ ତଥା ଗୋଟିଏ ଭାଜପା ଶାସିତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ସେହିସବୁ ଅଞ୍ଚଳ, ରାଜ୍ୟର ଯେଉଁଠି ପ୍ରଧାନମନ୍ତ୍ରୀଙ୍କ ସଭା ଓ ରାଲି ହେବାର ଥିଲା, ସେହି ସ୍ଥାନର ସବିଶେଷ ତଥ୍ୟ ଦେବାକୁ କୁହାଯାଇଥିଲା ଓ ସେମାନେ ବି ଦେଇଥିଲେ, ଯାହା ପ୍ରଧାନମନ୍ତ୍ରୀଙ୍କ ଭାଷଣରେ କୁହାଯାଇଥିଲା। ନୀତି ଆୟୋଗର ଅର୍ଥନୈତିକ ଅଧିକାରୀ ପିଙ୍କୁ କପୁର ଏଭଳି ତଥ୍ୟ ଯୋଗାଡ଼ ଦାୟିତ୍ୱରେ ଥିଲେ। ସଭା ହେବାକୁ ଥିବା ସ୍ଥାନ ତଥା ଅଞ୍ଚଳର ସାଂସ୍କୃତିକ, ଧାର୍ମିକ ପରମ୍ପରା, ପର୍ଯ୍ୟଟନର ସୁବିଧା, ଚାଷ, ରୋଜଗାର ଇତ୍ୟାଦି ଉପରେ ତଥ୍ୟ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦିଆଯାଉଛି, ଯାହା ଉପରେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଆଧାରିତ ରହୁଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶନାମାରେ କେଉଁ ତାରିଖ ଓ କେତେବେଳ ସୁଦ୍ଧା ଉତ୍ତର ଦେବାକୁ ହେବ, ସେ ନିର୍ଦ୍ଦେଶ ବି ରହୁଛି। ଇନ୍ଦିରା ଗାନ୍ଧୀ ଯେଉଁ କାରଣରୁ ଦଣ୍ଡିତ ହୋଇଥିଲେ (ସରକାରୀ କଳର ଅପବ୍ୟବହାର), ଏ ପଦକ୍ଷେପ ସେହି ଅପବ୍ୟବହାରଠାରୁ ଅଧିକ ଗର୍ହିତ, ଅଥଚ ସମସ୍ତେ ଚୁପ୍‌।
୨. ‘ସ୍କ୍ରୋଲ୍‌’ ନାମକ ସଂସ୍ଥା ଗୋଟିଏ ଇ-ମେଲ୍‌ର ନକଲ ପାଇ ତାକୁ ତର୍ଜମା କରି ଜଣାଇଛି ଯେ, ‘ଏପ୍ରିଲ ମାସ ଆଠ ତାରିଖରେ’ ନୀତି ଆୟୋଗ ଦ୍ୱାରା ସବୁ କେନ୍ଦ୍ରଶାସିତ ଅଞ୍ଚଳର ବାବୁମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା, ସେହିସବୁ ଅଞ୍ଚଳର ଐତିହାସିକ ପରମ୍ପରା, ବରପୁତ୍ର, ସଂସ୍କୃତି, ଧାର୍ମିକ ପରମ୍ପରା, ଅର୍ଥନୈତିକ ସ୍ଥିତି, ଚାଷବାସର ବିବରଣୀ ଉପରେ ତଥ୍ୟ ଦେବାକୁ, ଯେହେତୁ ପ୍ରଧାନମନ୍ତ୍ରୀଙ୍କର ସେଇସବୁ ଅଞ୍ଚଳକୁ ଯିବାର ଥିଲା, ଦଳୀୟ ନିର୍ବାଚନ ପ୍ରଚାରରେ।
୩. ଭାଜପାଶାସିତ ମହାରାଷ୍ଟ୍ରର ଗୋଣ୍ଡିଆ ଜିଲାର ଜିଲାପାଳ କାଦମ୍ବିନୀ ବାଲ୍କୱାର୍ଡ ତା୩୧ା୦୩ା୨୦୧୯ରିଖରେ ‘ନୀତି ଆୟୋଗ’କୁ ଗୋଟିଏ ବିବରଣୀ ପଠାଇଥିଲେ, ଯାହାର ଶୀର୍ଷକ ଥିଲା, ‘ଗୋଣ୍ଡିଆ ଜିଲାରେ ସବିଶେଷ ତଥ୍ୟ- ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପାଇଁ’। ଏହା ଏକ ବିସ୍ତୃତ ରିପୋର୍ଟ ଥିଲା, ଯେଉଁଥିରେ ସେହି ଜିଲାର ସମ୍ପୂର୍ଣ୍ଣ ଇତିହାସ ଓ ବିଭିନ୍ନ ପରିସଂଖ୍ୟାନ ରହିଥିଲା। ଲାଟୁର ଓ ୱାର୍ଦ୍ଧା ଜିଲାର ଜିଲାପାଳମାନେ ବି ଏପରି ତଥ୍ୟ ଯୋଗାଇଛନ୍ତି। ଏହା ସ୍ଥାନୀୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଅଣାଯାଆନ୍ତେ, ମହାରାଷ୍ଟ୍ରରେ ଉପମୁଖ୍ୟ ନିର୍ବାଚନ ଅଧିକାରୀ ଦିଲୀପ ସିନ୍ଧେ କହିଥିଲେ, ‘ଆମେ କିଛି ଜାଣିନୁ’ ଅର୍ଥାତ୍‌ ‘ସବ୍‌ସେ ଭଲା ଚୁପ୍‌’।
୪. ନିର୍ବାଚନ କମିଶନ୍‌ଙ୍କ ତରଫରୁ ସ୍ପଷ୍ଟ କରାଯାଇଛି ଯେ, ‘ନୀତି ଆୟୋଗ’ର ଉପାଧ୍ୟକ୍ଷ ରାଜୀବ କୁମାର ତା୨୫ା୦୩ା୨୦୧୯ରିଖରେ କଂଗ୍ରେସ ଦଳର ‘ନୂ୍ୟନତମ ଆୟ ଯୋଜନା’ (ଗରିବମାନଙ୍କୁ ବର୍ଷକୁ ୭୨,୦୦୦ ଟଙ୍କାର ଅନୁଦାନ)କୁ ଆକ୍ଷେପ କରି ନିର୍ବାଚନ ଆଚରଣବିଧିର ଉଲ୍ଲଂଘନ କରିଛନ୍ତି ଅଥଚ ସେ ମହାଶୟ ସେହି ପଦବୀରେ ଅଦ୍ୟାବଧି ବିଦ୍ୟମାନ।
୫. ପ୍ରଧାନମନ୍ତ୍ରୀ, ଭାଜପା ଅଧ୍ୟକ୍ଷ ବହୁବାର ‘ନିର୍ବାଚନ ଆଚରଣ ବିଧି’ର ଉଲ୍ଲଂଘନ କରିଥିବା ସତ୍ତ୍ୱେ ନିର୍ବାଚନ କମିଶନ ଚୁପ୍‌ ବସିଥିଲେ। କଂଗ୍ରେସ ଦଳ ତରଫରୁ ନିର୍ବାଚନ କମିଶନଙ୍କୁ ବାରମ୍ବାର ଚିଠି ଦିଆଗଲେ ମଧ୍ୟ ସେ ଚିଠି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ତଥା ଗୋଟିଏ ଆରୋପପତ୍ର କମିଶନଙ୍କ ୱେବ୍‌ସାଇଟ୍‌ରୁ ହଟିଯିବାରୁ କଂଗ୍ରେସ ତରଫରୁ ସୁପ୍ରିମକୋର୍ଟରେ ତା୨୯ା୦୪ା୨୦୧୯ରିଖରେ ଅପିଲ କରାଯାଆନ୍ତେ, ନିର୍ବାଚନ କମିଶନର ୩ ପ୍ରମୁଖ ହଠାତ୍‌ ତା୩୦ା୦୪ା୨୦୧୯ରିଖରେ ବୈଠକ କରି ପ୍ରଧାନମନ୍ତ୍ରୀଙ୍କୁ ଗୋଟିଏ ଆରୋପରୁ ମୁକ୍ତ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ତରଫରୁ ନିର୍ବାଚନ କମିଶନ୍‌ଙ୍କୁ ‘ତା୦୬ା୦୫ା୨୦୧୯ରିଖ ଭିତରେ ସବୁ ଆରୋପର ବିଚାର କରିବାକୁ ନିର୍ଦ୍ଦେଶ ଦିଆଯାନ୍ତେ, କମିଶନ୍‌ର ତିନି ପ୍ରମୁଖ ବସି ସବୁ ଆରୋପରୁ ମୋଦିଜୀଙ୍କୁ ମୁକ୍ତ କରିଦେଲେ’। ଭାଜପା ସଭାପତିଙ୍କ ‘ନିର୍ବାଚନୀ ଆଚରଣ ବିଧି’ ଉଲ୍ଲଂଘନ ଉପରେ ବି ସେମାନେ ଚୁପ୍‌, ଯେହେତୁ ସେଇମାନଙ୍କ ଯୋଗୁ ଏଡେ ବଡ଼ ବଡ଼ ପଦବୀ ମିଳିଛି ଓ ମିଳି ଚାଲୁଥିବ। ଦୀର୍ଘଦିନ ବଞ୍ଚତ୍ରହି ଏପରି ପଦବୀରେ ଅଧିଷ୍ଠିତ ହେବାକୁ କିଏ ବା ଲୋଭୀ ନୁହନ୍ତି ଯେ?
ନିର୍ବାଚନ ଆଚରଣବିଧିରେ ଥିବା ଅନ୍ତର୍ନିହିତ ସନ୍ଦେଶଟି ହେଉଛି ସମସ୍ତ ରାଜନେତା, ସରକାରୀ କର୍ମଚାରୀ ଏଗୁଡ଼ିକୁ ସମ୍ମାନ ପ୍ରଦର୍ଶନ କରିବା ଉଚିତ। ନିର୍ବାଚନ ପ୍ରଣାଳୀରେ ଏମାନଙ୍କ ଦ୍ୱାରା କୌଣସି ପକ୍ଷପାତିତାମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ଉଚିତ ନୁହେଁ। ସରକାରୀ କର୍ମଚାରୀମାନେ କେବଳ କାର୍ଯ୍ୟରେ ନୁହେଁ, ବକ୍ତବ୍ୟରେ ମଧ୍ୟ ପକ୍ଷପାତିତା କରିବା ଉଚିତ ନୁହେଁ ବୋଲି ନିର୍ବାଚନ କମିଶନଙ୍କ ତରଫରୁ ଏହାର ପ୍ରମୁଖ ସଚିବ ନରେନ୍ଦ୍ର ବୁଟୋଲିଆ, ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାରଙ୍କୁ ଜଣାଇଥିଲେ। ତେବେ ଆଜିକାଲି ‘ମୁଁ ଜନତାଙ୍କ ପାଖରେ ଉତ୍ତରଦାୟୀ ନୁହେଁ, ମୋତେ ଯିଏ ଉଚ୍ଚ ପଦବୀରେ ବସେଇଛନ୍ତି ଓ ପୁଣି ବସେଇ ଚାଲିଥିବେ, ତାଙ୍କ ପ୍ରତି ଅଙ୍ଗୀକାରବଦ୍ଧ’ କଥାଟି ସବୁଠେଇଁ ବାସ୍ତବତାର ରୂପ ନେଇସାରିଛି। ତେଣୁ ସିବିଆଇ, ସିଭିସି, ନିର୍ବାଚନ କମିଶନ, ସିଏଜି, ଇଡି ଇତ୍ୟାଦିର ସବୁ ବଡ଼ବଡ଼ିଆ ‘ତବ ପଦପଲ୍ଲବମୁଦାରଂ’ ଗାଇବାକୁ ଓ ସେ ଅନୁସାରେ କାମ କରିବାକୁ ଅନୁଚିତ ଭାବେ ବିବଶ ମନେହୁଅନ୍ତି।
ମୋ : ୮୮୯୫୮୫୭୩୧୮