ଲକ୍ଷ୍ନୌ,୨୪।୮: ଉତ୍ତରପ୍ରଦେଶ ରାମପୁର ଲୋକସଭା ଆସନରୁ ସମାଜବାଦୀ ପାର୍ଟିର ଏମ୍ପି ଥିବା ଆଜମ୍ ଖାଁଙ୍କ ବିରୋଧରେ ଏବେ ଏକ ନୂଆ ବିବାଦ ମୁଣ୍ଡ ଟେକିଛି। ତାଙ୍କ ନିର୍ଦ୍ଦେଶରେ ୨ ହଜାର ଶହେ ୭୩ ଗଛ କଟାଯାଇଥିବା ଅଭିଯୋଗ ହୋଇଛି। ତାଙ୍କ ଦ୍ୱାରା ସ୍ଥାପିତ ମହମ୍ମଦ ଅଲ୍ଲୀ ଜୌହର ବିଶ୍ୱବିଦ୍ୟାଳୟ ପାଇଁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ଲିଜ୍ ଜମିରେ ଏସବୁ ଗଛ ଥିଲା। ଏହାର ଆନୁମାନିକ ମୂଲ୍ୟ ୪ ଲକ୍ଷ ୧୩ ହଜାର ଟଙ୍କା ହେବ ବୋଲି ରାମପୁର ଏସ୍ଡିଏମ୍ଙ୍କ ପକ୍ଷରୁ ଏକ ରିପୋର୍ଟ ଏନ୍ଜିଟିକୁ ପଠାଯାଇଛି। ଲିଜ୍ ନିୟମ ଅନୁସାରେ ସରକାରୀ ଜମିରେ ଥିବା ଗଛକୁ କଟାଯାଇପାରିବ ନାହିଁ। ଲିଜ୍କୁ ରଦ୍ଦ କରିବା ପାଇଁ ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏନ୍ଜିଟିକୁ ସୁପାରିଶ କରାଯାଇଛି। ସୂଚନାଯୋଗ୍ୟ, ଏହି ବିଶ୍ୱବିଦ୍ୟାଳୟ ମହମ୍ମଦ ଅଲ୍ଲୀ ଜୌହର ଟ୍ରଷ୍ଟ୍ ପକ୍ଷରୁ ୨୦୦୬ରେ ନିର୍ମାଣ କରାଯାଇଥିଲା। ଏହାକୁ ୨୦୧୨ରେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଥିଲା।