ଆଜିକୁ ମିଶାଇ ଦ୍ୱିତୀୟ ଥର ଲାଗି ତୁଲାଇ ପାରିନି ସ୍ନାନଯାତ୍ରା ସେବା: ଗଜପତି

ପୁରୀ ଅଫିସ,୫।୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶୁକ୍ରବାର ମହାପ୍ରଭୁ ସ୍ନାନମଣ୍ଡପରେ ବିଜେ କରି ହାତୀ ବେଶରେ ଦର୍ଶନ ଦେଉଛନ୍ତି। ନିର୍ଘଣ୍ଟ ସମୟରେ ମହାପ୍ରଭୁଙ୍କ ଜଳଲାଗି କରାଯିବା ପରେ ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରଥ ଛେରା ପହଁରା କରିଥିଲେ। ଏହି ସ୍ନାନଯାତ୍ରା ନୀତିରେ ଅନୁପସ୍ଥିତି ପ୍ରସଙ୍ଗରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାରଙ୍କ କୋଭିଡ ଗାଇଡ୍‌ଲାଇନ୍‌ ମାନି ମୁଁ ଶ୍ରୀନଅରରେ ରହିଥିଲି। ୨ଟି କାରଣ ପାଇଁ ମୁଁ ଆଜି ଶ୍ରୀନଅରରେ ରହିଥିଲି। ପ୍ରଥମଟି ହେଲା ଏହା ଧର୍ମୀୟ କାର୍ଯ୍ୟ ଏବଂ କୋଭିଡ-୧୯ କଟକଣା ଯୋଗୁ ଏକ ସମୟରେ ୭ରୁ ଅଧିକ ଏକତ୍ରକୁ ବାରଣ କରାଯାଇଛି। ସେହିଭଳି ଦ୍ୱିତୀୟଟି ହେଲା ୬୫ ବର୍ଷରୁ ଅଧିକ ବୟସ୍କ ଘରୁ ବାହାରିବାକୁ ବାରଣ ରହିଛି। ତେବେ ଆଜିକୁ ମିଶାଇ ଦ୍ୱିତୀୟ ଥର ଲାଗି ସ୍ନାନଯାତ୍ରାରେ ସେବା ତୁଲାଇ ପାରିନାହିଁ। ୧୯୭୬ରେ ପ୍ରଥମ ଥର ପାଇଁ ସ୍ନାନଯାତ୍ରା ସେବା କରିପାରି ନ ଥିଲି। ଏଲ୍‌ଏଲ୍‌ଏମ୍‌ କରୁଥିବା ବେଳେ ଆମେରିକାରେ ଥିବାରୁ ସେବା କରିପାରି ନ ଥିଲି। ଅପରପକ୍ଷେ ଗଜପତିଙ୍କ ଅନୁପସ୍ଥିତିରେ ମୁଦିରଥ ସେବା କରିବା ପୁରୁଣା ପରମ୍ପରା ରହିଛି ବୋଲି ସେ କହିଛନ୍ତି।

Share