Categories: ଜାତୀୟ

ଆଜିଠାରୁ ଏମ୍‌ଏନ୍‌ପି ଲାଗି ନୂଆ ନିୟମ

ନୂଆଦିଲ୍ଲୀ,୧୬ା୧୨: ଉପଭୋକ୍ତାଙ୍କୁ ନିଜ ମୋବାଇଲ ନମ୍ବର ପୋର୍ଟେବିଲିଟି (ଏମ୍‌ଏନ୍‌ପି) କରିବା ପାଇଁ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ ନାହିଁ। ଟେଲିକମ୍‌ ରେଗୁଲେଟୋରୀ ଅଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)ର ନୂଆ ନିୟମ ମୁତାବକ ଏମ୍‌ଏନ୍‌ପି ପୂର୍ବଠାରୁ ଅଧିକ ତ୍ୱରିତ ଏବଂ ସହଜ ହେବ ବୋଲି ଜଣାପଡିଛି। ଏନେଇ ଟ୍ରାଇର ନୂଆ ନିୟମ ୧୬ ଡିସେମ୍ବରଠାରୁ ଲାଗୁ ହେଉଛି। କୌଣସି ଗ୍ରାହକ ନିଜ ମୋବାଇଲ ନମ୍ବରକୁ ପୋର୍ଟ କରିବାକୁ ଯୋଗ୍ୟ ହେଲେ ଟ୍ରାଇ ପକ୍ଷରୁ ୟୁନିକ ପୋର୍ଟିଂ କୋଡ(ୟୁପିସି) ଜାରି କରାଯିବ। ମୋବାଇଲ ନମ୍ବର ପୋର୍ଟ କରିବା ଲାଗି ଟ୍ରାଇ ପକ୍ଷରୁ କିଛି ନିୟମାବଳୀ ଜାରି କରାଯାଇଛି। ଏହି ନିୟମ ମୁତାବକ ପୋଷ୍ଟ ପେଡ୍‌ ଗ୍ରାହକମାନେ ଟେଲିକମ୍‌ ଅପରେଟରଙ୍କ ସମସ୍ତ ବକେୟା ପ୍ରଦାନ କରିବାକୁ ହେବ। ପୋର୍ଟ କରାଯାଉଥିବା ନମ୍ବର ଅନ୍ତତଃ ପକ୍ଷେ ୩ ମାସ ପୁରୁଣା ହୋଇଥିବା ଆବଶ୍ୟକ। ଯଦି ଉପଭୋକ୍ତା ତାଙ୍କ ଟେଲିଫୋନ ନମ୍ବରର ମାଲିକାନା ପରିବର୍ତ୍ତନ ଲାଗି ପୂର୍ବରୁ ଅନୁରୋଧ କରିଛନ୍ତି ତେବେ ତାହା ପୋର୍ଟ ଲାଗି ଯୋଗ୍ୟ ବିବେଚିତ ହେବେ ନାହିଁ। ପୋର୍ଟ ହେଉଥିବା ନମ୍ବର କୌଣସି ମକଦ୍ଦମାର ଅଧୀନ ନ ଥିବ। ନମ୍ବରକୁ ପୋର୍ଟ କରାଇବା କ୍ଷେତ୍ରରେ କୌଣସି ଆଇନଗତ କଟକଣା ନ ଥିବ। ୩ଟି କାର୍ଯ୍ୟ ଦିବସରେ ନମ୍ବରକୁ ପୋର୍ଟ କରାଯାଇ ପାରିବ। ଏଥିଲାଗି ୬.୪୬ ଟଙ୍କା ଚାର୍ଜ ଲାଗିବ।

Share