ଆଜିଠାରୁ ଫେରନ୍ତାଙ୍କ ପାଇଁ ‘ସଟଲ ବସ୍‌’ ସେବା

ଭୁବନେଶ୍ୱର, ୧୪ା୫(ବ୍ୟୁରୋ): ଓଡ଼ିଶା ବାହାରୁ ଆସୁଥିବା ଲୋକଙ୍କ ପାଇଁ ‘ମୋ ବସ୍‌’ ପକ୍ଷରୁ ସ୍ବତନ୍ତ୍ର ‘ସଟଲ ବସ୍‌’ ସେବା ଗୁରୁବାରଠାରୁ ଆରମ୍ଭ ହେବ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦର ଏବଂ ଭୁବନେଶ୍ୱର ରେଲୱେ ଷ୍ଟେଶନଠାରୁ ଏହି ସ୍ବତନ୍ତ୍ର ବସ ସେବା ଉପଲବ୍ଧ ହେବ। ଏହି ସେବା ଭୁବନେଶ୍ୱର, କଟକ ଓ ଖୋର୍ଦ୍ଧା ସହର ସହ ଯାତ୍ରୀଙ୍କୁ ଯୋଡ଼ିବ। ଫେରନ୍ତା ଲୋକେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ବୋଲି ମୋ ବସ୍‌ର ପରିଚାଳନା ଦାୟିତ୍ୱରେ ଥିବା କ୍ରୁଟ୍‌ର ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି। ତେବେ ଯାତ୍ରା ସମୟରେ ସମସ୍ତ ଯାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ନଚେତ ବସ୍‌ରେ ଯାତ୍ରା କରିବା ପାଇଁ ଅନୁମତି ମିଳିବ ନାହିଁ। ସେହିଭଳି ସାମାଜିକ ଦୂରତ୍ୱ ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। ପ୍ରତିଦିନ ବସ୍‌କୁ ବିଶୋଧନ କରାଯିବାର ବ୍ୟବସ୍ଥା ହୋଇଛି ବୋଲି ମହାପାତ୍ର କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବରୁ ମୋ ବସ୍‌ କଲ୍‌ ସେଣ୍ଟରରେ ଆପାତକାଳୀନ ସେବାରେ ନିୟୋଜିତ କର୍ମଚାରୀଙ୍କୁ ନେବାଆଣିବା କରୁଥିଲା।

Share