Categories: ବାଣିଜ୍ୟ

ଆଜିଠାରୁ ବଢ଼ିପାରେ ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୨୦-୫: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଥେଷ୍ଟ ବୃଦ୍ଧି ପାଇଥିଲେ ମଧ୍ୟ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ି ନ ଥିଲା। ତେବେ ରବିବାର ନିର୍ବାଚନ ଶେଷ ହୋଇଛି। ଏଣୁ ସୋମବାର ଠାରୁ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ତୈଳ ବିଶେଷଜ୍ଞଙ୍କ କହିବାନୁଯାୟୀ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୩ରୁ ୫ ଟଙ୍କା ବଢ଼ିବାକୁ ଯାଉଛି। ତେବେ ଏହା ଏକାଥରକେ ନ ହୋଇ ପର୍ଯ୍ୟାୟକ୍ରମେ ବଢ଼ିବ। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ତୈଳ କମ୍ପାନୀମାନେ ମାର୍ଚ୍ଚ ଓ ଏପ୍ରିଲ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୫ ଓ ୩ ଟଙ୍କା କମ୍‌ରେ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି। କେନ୍ଦ୍ର ସରକାରଙ୍କ ଅଘୋଷିତ ନିର୍ଦ୍ଦେଶ ଯୋଗୁ ସେମାନଙ୍କୁ ପ୍ରତି ଲିଟରରେ ଏହି କ୍ଷତି ସହିବାକୁ ପଡୁଛି। ଏହି ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଯଥାକ୍ରମେ ବ୍ୟାରେଲ ପିଛା ୬୭ ଏବଂ ୭୧ ଡଲାର ଥିଲା। ବର୍ତ୍ତମାନର ଅଶୋଧିତ ତେଲ ଦର ବ୍ୟାରେଲ ପିଛା ହାରାହାରି ୭୨ ଡଲାର ଆଖପାଖରେ ରହିଛି। ଏହାକୁ ହିସାବକୁ ନେଲେ ପେଟ୍ରୋଲ ଦର ଲିଟର ପିଛା ୭୮ ଟଙ୍କା ଏବଂ ଡିଜେଲ ଦର ଲିଟର ପିଛା ୭୦ ଟଙ୍କାରୁ ଅଧିକ ରହିବା କଥା। ତେବେ ରବିବାର ଦିଲ୍ଲୀ, କୋଲକାତା, ମୁମ୍ବାଇ ଓ ଚେନ୍ନାଇରେ ପେଟ୍ରୋଲ ଦର ଯଥାକ୍ରମେ ୭୧.୦୩ ଟଙ୍କା, ୭୩.୧୧ ଟଙ୍କା, ୭୬.୬୪ ଟଙ୍କା ଏବଂ ୭୩.୭୨ ଟଙ୍କାରେ ସ୍ଥିର ରହିଛି। ସେହିପରି ୪ ମହାନଗରରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୬୫.୯୬ ଟଙ୍କା, ୬୭.୭୧ ଟଙ୍କା, ୬୯.୧୧ ଟଙ୍କା ଏବଂ ୬୯.୭୨ ଟଙ୍କା ରହିଛି। ସିଙ୍ଗାପୁର ସ୍ଥିତ କନସଲଟାନ୍ସି ଫାର୍ମ ଏଫ୍‌ଜିଇର ଏସିଆ ଅଏଲର ଡାଇରେକ୍ଟର ଶ୍ରୀ ପରାଭାଇକ୍କରସୁ କହିଥିଲେ ଯେ, ଅନ୍ତର୍ଜାତୀୟ ବଜାରକୁ ଦୃଷ୍ଟିରେ ରଖିଲେ ଭାରତରେ ଅଦ୍ୟାବଧି ପେଟ୍ରୋଲ ଦର ଲିଟର ପିଛା ୪ ଟଙ୍କା ବଢ଼ିବା ଉଚିତ୍‌ ଥିଲା। ସୂଚନାଥାଉ କି, ଗତବର୍ଷ ମେ’ରେ କର୍ନାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀଗୁଡ଼ିକ ୧୯ ଦିନ ପାଇଁ ତୈଳ ଦର ସ୍ଥିର ରଖିଥିଲେ। ସେତେବେଳେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୫ ଡଲାର ବଢ଼ିସାରିଥିଲା। ତେବେ ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ ମେ ୧୪ରୁ ତୈଳ କମ୍ପାନୀଗୁଡ଼ିକ କ୍ରମାଗତ ୧୬ ଦିନ ଧରି ପେଟ୍ରୋଲ ଦରରେ ୩.୮ ଟଙ୍କା ଏବଂ ଡିଜେଲ ଦରରେ ୩.୩୮ ଟଙ୍କା ବୃଦ୍ଧି କରିଥିଲେ।

Share