Categories: ବାଣିଜ୍ୟ

ଆଜିଠାରୁ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର,୩୧-୧: ଇଣ୍ଡିଆନ୍‌ ବ୍ୟାଙ୍କ ଆସୋସିଏଶନ (ଆଇବିଏ) ଦେଇଥିବା କର୍ମଚାରୀଙ୍କ ଲାଗି ୧୫% ବେତନ ବୃଦ୍ଧି ପ୍ରସ୍ତାବକୁ ବ୍ୟାଙ୍କ ସଂଘ ଅଗ୍ରାହ୍ୟ କରି ଦେଇଛନ୍ତି। ଫଳରେ ବ୍ୟାଙ୍କ କର୍ମଚାରୀମାନେ ୨ ଦିିନିଆ ଧର୍ମଘଟରେ ସାମିଲ ହେବେ ବୋଲି ଜଣାପଡିଛି। ବେତନ ସଂଶୋଧନକୁ ନେଇ ୟୁନାଇଟେଡ ଫୋରମ୍‌ ଅଫ୍‌ ବ୍ୟାଙ୍କ୍‌ ୟୁନିୟନ୍ସ(ୟୁଏଫ୍‌ବିୟୁ) ପକ୍ଷରୁ ଚଳିତ ମାସ ୩୧ (ଶୁକ୍ରବାର) ଏବଂ ୧ ଫେବୃୟାରୀ ( ଶନିବାର) ୨ ଦିନିଆ ଦେଶ ବ୍ୟାପି ଧର୍ମଘଟ ଡାକରା ଦିଆଯାଇଛି। ଦେଶର ୧୦ ଲକ୍ଷ ବ୍ୟାଙ୍କ କର୍ମଚାରୀ ଧର୍ମଘଟରେ ସାମିଲ ହେବେ । ଏଆଇବିଇଏ, ଏଆଇବିଓସି, ଏନ୍‌ସିବିଇ, ଏଆଇବିଓଏ, ବିଇଏଫ୍‌ଆଇ, ଆଇଏନ୍‌ବିଇଏଫ୍‌, ଆଇଏନ୍‌ବିଓସି, ଏନ୍‌ଓବିଓଡବ୍ଲ୍ୟୁ ଏବଂ ଏନ୍‌ଓବିଓ ଭଳି ସଂଘ ଧର୍ମଘଟରେ ଯୋଗଦେବେ। ୧୨ ଦଫା ଦାବି ନେଇ ସଂଘଗୁଡିକ ଧର୍ମଘଟ ଡାକରା ଦେଇଛନ୍ତି। ମଜୁରୀ ସଂଶୋଧନରେ ୨୦% ବୃଦ୍ଧି, ୫ ଦିନ କାର୍ଯ୍ୟ ଦିବସ, ବେସିକ ପେ ସହ ସ୍ବତନ୍ତ୍ର ଭତ୍ତା ମିଶ୍ରଣ, ସ୍ବତନ୍ତ୍ର ପେନଶନ ସ୍କିମ, ପରିବାର ପେନଶନ ବୃଦ୍ଧି ଭଳି ଦାବି ଏହା ମଧ୍ୟରେ ସାମିଲ ରହିଛି। ଦାବି ଉପରେ ବିହିତ ପଦକ୍ଷେପ ଗ୍ରହଣ କରା ନ ଗଲେ ମାର୍ଚ୍ଚ ମାସ ୧୧,୧୨ ଏବଂ ୧୩ ତାରିଖରେ ୩ ଦିନ ଧର୍ମଘଟ ହେବ। ପୁଣି ଯଦି ଦାବି ପୂରଣ ନ ହୁଏ ତେବେ ଏପ୍ରିଲ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ଲାଗି କର୍ମଚାରୀମାନେ ଧାରଣାରେ ବସିବେ। ଗୁରୁବାର ସରସ୍ବତୀ ପୂଜା ଯୋଗୁ ବ୍ୟାଙ୍କ ବନ୍ଦ ରହିଛି। ଶୁକ୍ରବାର, ଶନିବାର ଧର୍ମଘଟ ଏବଂ ରବିବାର ବ୍ୟାଙ୍କ ଛୁଟି ଥିବାରୁ କାରବାର ବନ୍ଦ ରହିବ। ମୋଟା ମୋଟି ଭାବେ କହିବାକୁ ଗଲେ ୪ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୪୦ ହଜାର କର୍ମଚାରୀ ସାମିଲ ହେବେ ବୋଲି ସୂଚନା ରହିଛି। ସେହିଭଳି ରାଜ୍ୟର ୫ ହଜାର ବ୍ୟାଙ୍କ ଶାଖା ଏହି ସମୟରେ ବନ୍ଦ ରହିବ। ବ୍ୟାଙ୍କ କାରବାର ସହ ଏଟିଏମ୍‌ ସେବା ଏହି ସମୟରେ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଇଛି।

Share